ସଂସଦରେ ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ଆର୍ଥିକ ସୁଧାର ପାଇଁ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ; ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦକୁ ଅଧିକ ବ୍ୟୟ ବରାଦ ସମ୍ଭାବନା

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କଲେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ: ହେଲେ ସଂସଦରେ ଉପସ୍ଥିତ ରହିଲା ବିଜେଡି; ଦଳୀୟ ସାଂସଦ କହିଲେ, ସାମ୍ବିଧାନିକ ବ୍ୟବସ୍ଥାକୁ ଦିଆଯାଇଛି ସମ୍ମାନ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ପେପରଲେସ୍‌ ବା କାଗଜବିହୀନ ବଜେଟ୍ ଉପସ୍ଥାପନ କରାଯିବ। ପୂର୍ବାହ୍ନ ୧୧ରେ ବଜେଟ୍ ଉପସ୍ଥାପନ କରାଯିବ। ଏହାକୁ ଲୋକସଭା ଟିଭିରେ ସିଧା ପ୍ରସାରଣ କରାଯିବ। ୟୁଟ୍ୟୁବ୍‌, ଫେସବୁକ୍ ଓ ଟ୍ବିଟର୍‌ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଏହା ବ୍ୟତୀତ ବଜେଟର ସିଧାପ୍ରସାରଣକୁ ବିଭିନ୍ନ ନିଉଜ୍ ଚ୍ୟାନେଲରେ ମଧ୍ୟ ଦେଖିହେବ।

କରୋନା ମହାମାରୀ ପରବର୍ତ୍ତୀ ସମୟର ଏହା ପ୍ରଥମ ବଜେଟ୍ ‌ହୋଇଥିବାରୁ ଅନେକ ରିହାତି ମିଳିପାରେ ‌ବୋଲି ସମାଜର ବିଭିନ୍ନ ବର୍ଗ ଅନାଇ ବସିଛନ୍ତି। ‌ ବ୍ୟକ୍ତିଗତ ଆୟକରରେ ରିହାତି ମିଳିବ ବୋଲି ମଧ୍ୟବିତ୍ତ ବର୍ଗ ଓ ବେତନଭୋଗୀମାନଙ୍କର ଆଶା ରହିଛି। ମହାମାରୀ ସମୟରେ ଅନେକ ଲୋକ ଜୀବିକା ହରାଇଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ କିଛି ନୂଆ ଯୋଜନା‌ କିମ୍ବା ସ୍କିମ୍ ଘୋଷଣା ହେବାର ସମ୍ଭାବନା ରହିଛି। ବିଶେ‌ଷ କରି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା ଆଶା କରାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ ପାଇଁ ବ୍ୟୟବରାଦ ବଢ଼ିବାର ସମ୍ଭାବନା ରହିଛି।

publive-image

କିନ୍ତୁ ବଜେଟରେ ସେମାନଙ୍କର ଆଶା କେତେ ଦୂର ପୂରଣ ହେଉଛି ତାହା ଉପରେ ‌ସମସ୍ତଙ୍କର ନଜର ରହିଛି। ଅନ୍ୟପକ୍ଷରେ କୋଭିଡ୍-୧୯ ଟିକାକରଣ ପାଇଁ ପାଣ୍ଠି ଯୋଗାଡ଼ କରିବାର ବାହାନା କରି ପ୍ରମୁଖ ସ୍କିମ୍‌ର ବ୍ୟୟବରାଦ ହ୍ରାସ କରିବା ଓ କିଛି ସ୍କିମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏବିଷୟରେ ବଜେଟରେ ଘୋଷଣା ହୋଇପାରେ। କେନ୍ଦ୍ର ବଜେଟର ପ୍ରାୟ ୯% ଅର୍ଥରାଶି (୩.୪ ଲକ୍ଷ କୋଟି ଟଙ୍କା) କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ ପାଇଁ ଆବଣ୍ଟନ କରାଯାଉଛି। ୨୦୧୬-୧୭ ପରଠାରୁ ଏହି ସ୍କିମ୍‌ଗୁଡ଼ିକର ବ୍ୟୟବରାଦ କ୍ରମାଗତ ଭାବେ ହ୍ରାସ ପାଉଛି। କେନ୍ଦ୍ରୀୟ ସ୍କିମ୍‌ର ବ୍ୟୟବରାଦ ମଧ୍ୟ ହ୍ରାସ କରାଯାଉଛି। ପୂର୍ବରୁ ୬୦ଟି କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ଥିଲା। ଚର୍ତୁଦଶ ଅର୍ଥ ଆୟୋଗଙ୍କ ସୁପାରିସ ପରେ ଅନେକ ସ୍କିମ୍ ବନ୍ଦ କରାଯାଇଛି।

୨୦୨୧-୨୨ ବର୍ଷ ବଜେଟ୍ ତିଆରି ବେଳେ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଗୁଡ଼ିକୁ କେଉଁ ସ୍କିମ୍ ପାଇଁ କେତେ ଟଙ୍କା ଦରକାର ଜଣାଇବାକୁ କୁହାଯାଇଥିଲା। ପାଣ୍ଠି ଅଭାବ ଯୋଗୁଁ କେଉଁ ସ୍କିମ୍ ବନ୍ଦ କରିହେବ ତାହା ମଧ୍ୟ ଜଣାଇବାକୁ ନିର୍ଦେଶ ଦିଆଯାଇଥିଲା। ସ୍କିମଗୁଡ଼ିକର ବ୍ୟୟବରାଦ ହ୍ରାସ ପାଇଲେ ରାଜ୍ୟଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିବେ। ସେମାନଙ୍କ ପାଖକୁ ପାଣ୍ଠି ଆସିବା କମିଯିବ। କରୋନା ମହାମାରୀ ପ୍ରଭାବ ଦେଇ ଗତି କରୁଥିବା ରାଜ୍ୟଗୁଡ଼ିକ ଏଭଳି ସଙ୍କଟକୁ ସାମ୍ନା କରିବା ସ୍ଥିତିରେ ନଥିବା ଜଣାପଡ଼ିଛି। ଏହାକୁ ନେଇ ରାଜ୍ୟଗୁଡ଼ିକ ଚିନ୍ତାରେ ପଡ଼ିଯାଇଛନ୍ତି। ଯଦି ବଜେଟ୍‌ରେ ସେଭଳି କିଛି ଘୋଷଣା କରାଯିବ ତେବେ ରାଜ୍ୟଗୁଡ଼ିକ ତାହାର ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି।

publive-image

୨୦୨୧-୨୨ ବଜେଟ୍‌ରୁ କରାଯାଉଥିବା‌ ଆଶା ସମ୍ପର୍କରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ କହିଛନ୍ତି ଯେ ଟିକାକରଣ ପାଇଁ କରୋନା ଟିକସ ଘୋଷଣା କରାଯିବାର ଅନେକ ସମ୍ଭାବନା ରହିଛି। ଏହା ବ୍ୟତୀତ ଧନୀମାନଙ୍କ ପାଇଁ ଟିକସ ପରିମାଣ ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରର ବ୍ୟୟବରାଦ ବଢ଼ିବ। ଚୀନ୍ ସହିତ ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହୁଥିବାରୁ ପ୍ରତିରକ୍ଷା ବାବଦରେ ମଧ୍ୟ ଅଧିକ ବ୍ୟୟବରାଦ ହୋଇଥିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଭିତ୍ତିଭୂମିକୁ ମଧ୍ୟ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଥିବ ବୋଲି ଅନୁମାନ କରାଯାଉଛି। ମହାମାରୀ ପରବର୍ତ୍ତୀ ସମୟରେ ଯଦିଓ ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଛି କିନ୍ତୁ ସେହି ଧାରା ବଜାୟ ରଖିବା ସରକାରଙ୍କ ପାଇଁ ଏକ ଆହ୍ବାନ ହେବ। ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ମଧ୍ୟ ବଜେଟ୍‌ରେ ପଦକ୍ଷେପ ନିଆଯାଇଥିବ। ସରକାର ନିଜର ଆୟ ବଢ଼ାଇବା ଲାଗି ଟିକସ ଉତ୍ସ ସହିତ ପୁଞ୍ଜିପ୍ରତ୍ୟାହାରକୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ଚଳିତ ବର୍ଷ ବଜେଟରେ ମଧ୍ୟ କିଛି ଲାଭଜନକ ସରକାରୀ ସଂସ୍ଥାର ଅଂଶଧନ ବିକ୍ରି ବିଷୟରେ ଘୋଷଣା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe