ସଂସଦରେ ଉପସ୍ଥାପନ ହେବ ୨୦-୨୧ ଆର୍ଥିକ ବଜେଟ୍ । ଆୟକରରେ ଜନତାଙ୍କୁ ମିଳିପାରେ ବିଶେଷ ରିହାତି, ନୂଆ ସ୍କିମ ସମ୍ପର୍କରେ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ସଂସଦରେ ଉପସ୍ଥାପନ ହେବ ୨୦-୨୧ ଆର୍ଥିକ ବଜେଟ୍ । ଆୟକରରେ ଜନତାଙ୍କୁ ମିଳିପାରେ ବିଶେଷ ରିହାତି, ନୂଆ ସ୍କିମ ସମ୍ପର୍କରେ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

କନକ ବ୍ୟୁରୋ :  ଆଜି ଦିନ ୧୧ଟାରେ ସଂସଦରେ ଗୃହରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ୨ ପାଳିରେ ନିର୍ମଳା ୨ ଥର ଲାଗି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଆଜିର ବଜେଟ ପରେ କାହାର ଦର ବଢିବ କାହାର ଦର କମିବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ତେବେ ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଚଳିତଥର ଆୟକରରେ ଜନତାଙ୍କୁ ମିଳିପାରେ ବଡ ରିହାତି ।  ଦେଶର ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରରେ ରହିଛି। ଅର୍ଥନୀତିରେ ମାନ୍ଦାବାସ୍ଥା ଯୋଗୁଁ ଦେଶର ଉଦ୍ୟୋଗ କ୍ଷେତ୍ରରେ ସଂକଟ ସୃଷ୍ଟି ହୋଇଛି। କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ମଧ୍ୟ ସରକାରଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ତେବେ ରାଜସ୍ବ ଆଦାୟ କମିଯାଇଥିବା ବେଳେ ବ୍ୟୟ ବଢ଼ାଇବା ଲାଗି ସରକାର ସଂଘର୍ଷ କରୁଛନ୍ତି। ତେଣୁ ୨୦୨୦-୨୧ ବଜେଟ୍‌ରେ ରାଜସ୍ବ ବୃଦ୍ଧି ପାଇଁ କିଛି ବଳିଷ୍ଠ ପଦକ୍ଷେପ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

publive-image source : hindustantimes.com

ଗତବର୍ଷ କେନ୍ଦ୍ର ସରକାର କଂପାନି ଟିକସକୁ ୩୦%ରୁ ୨୨%କୁ ଖସାଇ ଦେଇଥିଲେ। ତେଣୁ ଏଥର ବଜେଟ୍‌ରେ ବ୍ୟକ୍ତିଗତ ଆୟକରକୁ ଆହୁରି କୋହଳ କରାଯିବାର ସମ୍ଭାବନା ରହିଛି। ଏହା ହେଲେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ। କିନ୍ତୁ ରାଜସ୍ବ ଆଦାୟ ସ୍ଥିତି ଯାହା ରହିଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଟିକସ ଉପରେ ସରକାର ଅଧିକ କିଛି ରିହାତି ପ୍ରଦାନ କରିବା ଭଳି ସ୍ଥିତିରେ ନାହାନ୍ତି ବୋଲି କୁହାଯାଇପାରିବ।

ତଳକୁ ଖସିଚାଲିଥିବା ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ କ’ଣ ପଦକ୍ଷେପ ଘୋଷଣା କରିବ‌େ ତାହାକୁ ସମସ୍ତେ ଚାହିରହିଛନ୍ତି। ବଜେଟ୍‌ ହିଁ ଷ୍ଟକ୍‌ ବଜାରର ଆଗାମୀ ମାର୍ଗ ନିର୍ଧାରଣ କରିବ ବୋଲି କୁହାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ପ୍ରତିରକ୍ଷା ବ୍ୟତୀତ ସାମାଜିକ କ୍ଷେତ୍ର ପାଇଁ ସରକାର କେତେ ବ୍ୟୟବରାଦ କରିବେ ତାହା ବଜେଟ୍‌ ଘୋଷଣା ହେବା ପରେ ଜଣାପଡ଼ିବ। ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସରକାରଙ୍କ ଦୁଇଟି ପ୍ରମୁଖ ସ୍କିମ୍ ହୋଇଥିବାରୁ ଏହାର ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କିଛି ନୂଆ ‌ଯୋଜନା ଘୋଷଣା କରାଯାଇପ‌ାରେ। ମଧ୍ୟବିତ୍ତ ପରିବାର ଲାଗି ନୂଆ ସ୍ବାସ୍ଥ୍ୟ ବୀମା ଯୋଜନା ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଲୋଚନା ହେଉଛି।

ଏହାଛଡ଼ା ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ଅଧିକ ଋଣ କରିବା ବିଷୟରେ ବଜେଟ୍‌ରେ ଘୋଷଣା କରାଯାଇପାରେ। ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ମଧ୍ୟ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ବିଷୟରେ ମଧ୍ୟ ବଜେଟ୍‌ରେ କିଛି ନୂଆ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe