ବଜେଟରେ ବଡ଼ ବଡ଼ିଆଙ୍କୁ ଝଟକା । ବାର୍ଷିକ ୧ କୋଟିରୁ ଅଧିକ ନଗଦ ଉଠାଣ ଉପରେ ଦେବାକୁ ପଡ଼ିବ ୨% ଟିକସ ।

ଏଣିକି ବର୍ଷକୁ ୧ କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨% ଟିକସ ଦେବାକୁ ପଡ଼ିବ ବୋଲି ବଜେଟରେ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।

385

କନକ ବ୍ୟୁରୋ: ମୋଦି ସରକାରଙ୍କ ଦ୍ୱିତୀୟ ପାଳର ପୂର୍ଣ୍ଣାଙ୍ଗ ବଜେଟରେ ଧନୀଙ୍କୁ ଧକ୍କା । ଅପରିବର୍ତ୍ତିତ ରହିଲା ଆୟକର ଛାଡ଼ ସୀମା । ଏଣିକି ବର୍ଷକୁ ୧ କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨% ଟିକସ ଦେବାକୁ ପଡ଼ିବ ବୋଲି ବଜେଟରେ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସେହିଭଳି ବର୍ଷକୁ ୨ରୁ ୫ କୋଟି ଆୟ ଉପରେ ୩% ସରଚାର୍ଜ ଲାଗିବ । ଏହାସହ ବର୍ଷକୁ ୫ କୋଟିରୁ ଅଧିକ ଆୟ ଉପରେ ୭% ସରଚାର୍ଜ ଦେବାକୁ ପଡ଼ିବ ବୋଲି ବଜେଟରେ ନିଷ୍ପତି ହୋଇଛି ।

ଅନ୍ୟପଟେ ମଧ୍ୟବିତ୍ତଙ୍କୁ ବଜେଟରେ ଆସ୍ୱସ୍ତି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଚଳିତ ବଜେଟ୍ ୨୦୧୯ରେ ଉପସ୍ଥାପିତ କରାଯାଇଛି । ତେବେ ୫ ଲକ୍ଷରୁ ଅଧିକ ଆୟକାରୀ ନିବେଶ କରୁନଥିଲେ ସେମାନେ ଟିକସ ଦେବାକୁ ବାଧ୍ୟ ବୋଲି ବଜେଟରେ ନିଷ୍ପତି ହୋଇଛି । ସେପଟେ ଏଣିକି ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କ ଉପରେ ଚଳିତ ବଜେଟରେ ୩୦% ଟିକସ ଲଗାଇଛନ୍ତି କେନ୍ଦ୍ର ସରକାର ।

ଏହାବାଦ୍ ଶିକ୍ଷା ଓ ସ୍ୱଚ୍ଛ ଭାରତ ବାବଦରେ ସେସ୍ ଦବାକୁ ପଡ଼ିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଟିକସ ମୁକ୍ତ ତେବେ ବାର୍ଷିକ ୫ ଲକ୍ଷରୁ ଅଧିକ ରୋଜଗାର କରୁଥିଲେ ଆପଣଙ୍କୁ କିଭଳି ଟିକସ ଦେବାକୁ ପଡ଼ିବ ନଜର ପକାନ୍ତୁ ।

ଆୟକର ସ୍ଲାବ
୨.୫ ଲକ୍ଷ-୫ଲକ୍ଷ ଟଙ୍କା – ୫%
୫ ଲକ୍ଷ-୧୦ ଲକ୍ଷ ଟଙ୍କା – ୨୦%
୧୦ ଲକ୍ଷ ଟଙ୍କାରୁ ଅଧିକ – ୩୦%