ଆସିଲା ବଜେଟ୍ ୨୦୧୯ । ଦେଶକୁ ପ୍ରଦୂଷଣମୁକ୍ତ କରିବାକୁ ଗୁରୁତ୍ୱ, ଇଲେକ୍ଟ୍ରିକ୍ ଯାନ ଓ ଏମଏସଏମଇ ପାଇଁ ନୂଆ ଯୋଜନା ।

210

କନକ ବ୍ୟୁରୋ: ଆସିଲା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ । ସଂସଦରେ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ । ଗତ ବର୍ଷ ଆମ ସରକାର ୫୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ବଜେଟ୍ କୁ ୧ ଟ୍ରିଲିୟନ ଡଲାରରେ ପହଁଚାଇବାକୁ ଯେଉଁଠି ୫୫ ବର୍ଷ ଲାଗିଥିଲା ତାହା ମାତ୍ର ୫ ବର୍ଷ ମଧ୍ୟରେ ମୋଦି ସରକାର ହାସଲ କରି ଦେଖାଇଲେ । ଆଉ ଏବେ ଯାହା ୩ ଟ୍ରିଲିୟନ ଡଲାର ନିକଟତର ହେଉଛି ।

ଚଳିତ ବଜେଟରେ ପ୍ରଦୂଷଣମୂକ୍ତ ଭାରତ ଗଢ଼ିବାକୁ ପ୍ରାଥମିକତା ଦିଆଯାଇଛି । ତେଣୁ ଏଫଏଏମଇ-୨ ଜରିଆରେ ଇଲେକ୍ଟ୍ରିକ୍ ଯାନର ଚଳାଚଳ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ବ୍ୟାଟେରୀ ଚାଳିତ ଗାଡ଼ିକୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା କରାଯିବ । ଇଲେକ୍ଟ୍ରିକ୍ ଗାଡ଼ି କିଣୁଥିବା ବ୍ୟକ୍ତିକୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ପ୍ରଦାନ କରାଯିବ । ଏହାସହ ଇକ୍ଟ୍ରୋନିକ କାର ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି ବଜେଟରେ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର ।

ଏହାସହ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ବଜେଟରେ ଗୁରୁତ୍ୱ ଦିଆଯାଉଛି । ଦେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତି ବଦ୍ଧ । ତେଣୁ ବ୍ୟାଟେରୀ ଷ୍ଟେସନ ଗୁଡ଼ିକର ନିର୍ମାଣ ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ ।

ସେହିପରି ଭାରତୀୟ ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଶିଳ୍ପ କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏମଏସଏମଇ ପାଇଁ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ୧ କୋଟି ଟଙ୍କାର ଋଣ ମାତ୍ର ୫୯ ମିନିଟରେ ଋଣ ମଞ୍ଜୁର ହୋଇପାରିବ ।ଏବଂ ଏହା କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ସହାୟକ ହେବ । ଅଧିକ ମୁନାଫା ପାଇଁ ପ୍ରାଥମିକତା ଦେବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।