ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୫ ବର୍ଷରେ ବଢିଛି ବିକାଶ ହାର; ୨୦୧୯-୨୦ରେ ଜିଡପି ଅଭିବୃଦ୍ଧି ୭% ରହିବା ଅନୁମାନ

156

କନକ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟକୁ ରାଜ୍ୟସଭାରେ ଆଗତ କରିଥିଲେ । ବଜେଟ୍ ଆଗତ ହେବାର ଠିକ୍ ଆଗରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ଆର୍ଥିକ ବିକାଶର ଚିତ୍ରକୁ ସଂସଦରେ ରଖିଛନ୍ତି । ଏହି ରିପୋର୍ଟରେ ଗତ ୧୨ ମାସ ମଧ୍ୟରେ ଦେଶରେ ବିକାଶର ହାର କିପରି ରହିଛି ତାର ଚିତ୍ର ଦେଇଛନ୍ତି କେନ୍ଦ୍ର ସରକାର ।

ଯୋଜନା ଗୁଡିକ କିପରି ଲାଗୁ ହୋଇଛି ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଆର୍ଥିକ ସର୍ଭେ ରିପୋର୍ଟ ସଂସଦର ଉଭୟ ସଦନରେ ଉପସ୍ଥାପନ କରାଯାଇଥାଏ । ଏହି ରିପୋର୍ଟରେ ସରକାରଙ୍କ ପ୍ରଗତିର ଗତବର୍ଷର ଲେଖା ଯୋଖା ପ୍ରମାଣ ରହିଥାଏ । ରାଜ୍ୟସଭାରେ ଆଗତ ହୋଇଥିବା ରିପୋର୍ଟରେ ଗତ ୫ ବର୍ଷରେ ଦେଶର ବିକାଶ ହାର ବୃଦ୍ଧି ନେଇ ସୂଚନା ଦିଆଯାଇଛି ।

ଆର୍ଥିକ ସର୍ଭେରେ ଜିଡିପି ବୃଦ୍ଧି ହାର ୨୦୧୯-୨୦ ପାଇଁ ୭ ପ୍ରତିଶତ ରହିବା ଅନୁମାନ କରାଯାଇଛି । ଆର୍ଥିକ ନିଅଂଟ ୫.୮ ପ୍ରତିଶତ ରହିବା ଅନୁମାନ କରାଯାଇଛି । ଏହି ଆର୍ଥିକ ସର୍ଭେରିପୋର୍ଟରେ ବିଶ୍ୱର ବିକାଶ ହାର କମ୍ ରହିବା ନେଇ ଆକଳନ କରାଯାଇଛି । ତେବେ ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ତୈଳର ଦାମ୍ କମିବା ନେଇ ଆକଳନ କରାଯାଇଛି ।