ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ

74

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ଜାରି ରହିଛି ଅସହ୍ୟ ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା । ତା ସହିତ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏଭଳି ଆନ୍ଦୋଳନ ମଧ୍ୟରେ ଆଜି ଅଷ୍ଟମ ଥର ପାଇଁ ସରକାର ଓ କୃଷି ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଶା କରାଯାଉଛି କି ଏହି ଆଲୋଚନାରୁ କିଛି ନିସ୍କର୍ଶ ବାହାରିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ସରକାର କୃଷକ ମାନଙ୍କର ୨ ଟି ଦାବି ମାନି ନେଇଛନ୍ତି । ମାତ୍ର ବିଲ୍ ପ୍ରତ୍ୟାହାର ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବିରେ ଏବେ ବି କୃଷକ ମାନେ ଅଟଳ ରହିଥିବା କୁହାଯାଉଛି । ଏହି ଆଲୋଚନାକୁ ଆଜି ସାରା ଦେଶର କୃଷକ ମାନେ ଅପେକ୍ଷା କରିଥିବା ବେଳେ ଆଜି ସକାଳୁ ଶହ ଶହ ବୌଦ୍ଧ ଭିକ୍ଷୂମାନେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ।

ସରକାରଙ୍କ ସହିତ ଆଲୋଚନା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ବୁଝିଯିବା ଦରକାର କି କୃଷକ ମାନେ କାହା କଥାରେ ପରିଚାଳିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ନାହାନ୍ତି , ସେମାନେ ଯାହା ଉପଲବ୍ଧି କରିଛନ୍ତି ତାହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ପାରିତ କରିଥିବା କୃଷକ ବିରୋଧି ୩ ଟି କୃଷି ଆଇନ୍ ପ୍ରତ୍ୟାହାର ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ । ସରକାର ତୁରନ୍ତ ପାରିତ ହୋଇଥିବା ଆଇନକୁ ପ୍ରତ୍ୟାହାର କରନ୍ତୂୁ ଓ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେ ଆହୁରି କହିଛନ୍ତି କି ଯଦି ଆଜି ସରକାର କୃଷକ ମାନଙ୍କର ଦାବି ମାନି ନନିଅନ୍ତି ତାହେଲେ ୨୬ ଜାନୁଆରୀ ଦିନ କୃଷକ ମାନେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିବେ । ସେପଟେ ଅନ୍ୟ କୃଷକ ନେତା ମାନେ କହିଛନ୍ତି କି ଆଇନରେ କୌଣସି ସଂଶୋଧନ କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ । ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରିବାକୁ ସରକାର ଚିନ୍ତା କରନ୍ତୁ ।
ଆଜି ଅପରାହ୍ନରେ ପୁଣିଥରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଅଷ୍ଟମଥର ହେବାକୁ ଥିବା ଏହି ଆଲୋଚନାରେ ସରକାର କୃଷକ ଆନ୍ଦୋଳନରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିବେ । ବିଜୁଳି ବିଲ୍ ଓ ପ୍ରଦୁର୍ଷଣ ମାମଲାରେ ସରକାର ପୂର୍ବରୁ ସହମତି ପ୍ରକାଶ କରିସାରିଛନ୍ତି । ମାତ୍ର ଏମଏସପି ଓ ପାରିତ ହୋଇଥିବା ବିଲ୍ କୁ ପ୍ରତ୍ୟାହାର ଉପରେ ଆଜି ଆଲୋଚନା ହେବ ।