ଧରାପଡିଲା ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ ଗ୍ରୁପର ମୁଖ୍ୟ ବୁବୁ ଜେନା । ନୟାପଲ୍ଲୀ ଥାନା ପୋଲିସ କଲା ଗିରଫ

151

କନକ ବ୍ୟୁରୋ: ଯିଏ ଦିନେ ରାଜଧାନୀର ରାଜରାସ୍ତାରେ ଭାଇଗିରି ଦେଖାଉଥିଲା । ମାରଣାସ୍ତ୍ର ବୁଲାଇ ଲୋକଙ୍କୁ ଆତଙ୍କିତ କରୁଥିଲା । ଆଜି ସେ କମିସନରେଟ ପୁଲିସ କବଜାରେ । ରାଜଧାନୀ ରାସ୍ତାରେ ମାରଣାସ୍ତ୍ର ବୁଲାଇ, ଗାଡି ଉପରେ ଦୁଃସାହାସିକ ଷ୍ଟଣ୍ଟର ଭିଡିଓ ବନାଇ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ପୁଲିସ ସହ ଲୁଚକାଳି ଖେଳୁଥିବା ମୋଷ୍ଟ ୱାଂଟେଡ ବୁବୁ ଜେନା ଗିରଫ ହୋଇଛି । ତା ନିକଟରୁ ଏକ ଖଣ୍ଡା ଜବତ କରିଛି ପୁଲିସ । ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବାକୁ ପୁଲିସ ଯୋଜନା କରିଛି ।

୪ ମାସ ତଳେ କେବିଏନ ଗ୍ୟାଙ୍ଗର ଭିଡିଓ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଗତ ନଭେମ୍ବର ମାସରେ କେବିଏନ୍ ଗ୍ୟାଙ୍ଗ ବିରୋଧରେ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ରାଜଧାନୀର ରାଜରାସ୍ତାରେ କେବିଏନ ଗ୍ୟାଙ୍ଗ ଆତଙ୍କିତ କଲା ଭଳି ଭିଡିଓ କରି ଖଣ୍ଡା ବୁଲାଉଥିଲେ । ବନ୍ଧୁକ ଧରି ସୋ-ଅପ କରୁଥିଲେ । ରାତି ତ ରାତି ଦିନରେ ବି ଗାଡି ଉପରେ ଛିଡା ହୋଇ ଦୁଃସାହାସିକ ଭିଡିଓ କରି ଲୋକଙ୍କୁ ଛାଡି ଥରାଇ ଦେଉଥିଲେ ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ପୁଲିସର କାର୍ଯ୍ୟାନୁଷ୍ଠାନ । ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ରାତିରେ ଘରୁ ଉଠାଇନେଇଥିଲା ପୁଲିସ, କେତେକ ଭୟରେ ଆତ୍ମସମର୍ପଣ କରିଥିଲେ । ଗ୍ୟାଙ୍ଗର ସର୍ଦ୍ଦାର ବୁବୁ ଜେନା ଧରାପଡିଛି, ଆଉ କିଛି ଏବେ ବି ଫେରାର ଅଛନ୍ତି । ଅନ୍ୟପଟେ ବୁବୁ ଜେନା ନାଁରେ ଆରପିସିର ୧୧୦ ଧାରା ଲଗାଇବାକୁ ପ୍ରସ୍ତୁତି କରୁଛି କମିସନରେଟ ପୁଲିସ ।

ରାଜଧାନୀର ରାସ୍ତାରେ ଭାଇଗିରି ଦେଖାଉଥିବା ବୁବୁ ଜେନା ଓରଫ ଦେବୀପ୍ରସାଦ ଜେନାକୁ ପୁଲିସ ଗିରଫ କରିିଛି । ଆଗକୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛି କମିସନରେଟ ପୁଲିସ ।