ଅପରାଜିତା ୧୭ ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇଲେ, ପଚାରିଲେ କେବେ ସିଲ୍ ହେବ ବିଜେଡି ଅଫିସ? କିନ୍ତୁ ଜନ୍ମଦିନ ଭିଡ଼ିଓକୁ ନେଇ କହିଲେ ଏମିତି…?

455

କନକ ବ୍ୟୁରୋ : ବିଜେଡି ବିରୋଧରେ ପାଲଟା ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡି ଦଳର କର୍ମୀ ଓ ନେତା କିଭଳି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ସାମ୍ବାଦିକ ସମ୍ମଳନୀରେ ସାମ୍ନାକୁ ଆଣିଛନ୍ତି ଅପରାଜିତା । ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ ବିଜେଡି ଅଫିସ କେବେ ସିଲ୍ ହେବ ସେନେଇ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ।

ଏପରିକି ଏନେଇ ଆସନ୍ତା ୨ ଦିନ ମଧ୍ୟରେ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି କହିଛନ୍ତି ଅପରାଜିତା । କୋଭିଡ ନିୟମ ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଯେଉଁ ଭିଡ଼ିଓକୁ ନେଇ ଅପରାଜିତାଙ୍କ ଅଫିସ ସିଲ୍ କରାଯାଇଛି ସେନେଇ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଜନ୍ମଦିନ ଭିଡ଼ିଓରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କଥାକୁ ଖୋଲାଖୋଲି ସ୍ୱୀକାର ନ କରି ପରୋକ୍ଷରେ ଏହି ସମୟରେ ଭାବନାତ୍ମକ ହୋଇ ମାସ୍କ ଖୋଲିଥିଲି ବୋଲି କହିଛନ୍ତି ଅପରାଜିତା । ତେବେ କିଛି ସମୟ ମଧ୍ୟରେ ପୁଣିଥରେ ମାସ୍କ ପିନ୍ଧିଥିଲି ବୋଲି ସେ କହିଛନ୍ତି ।

ସେହିଭଳି ୭ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଅପରାଜିତାଙ୍କ ସ୍ୱାଗତ ପାଇଁ ଶହ ଶହ ସମର୍ଥକ ଏକାଠି ହୋଇ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ତେବେ ଏତେ ସଂଖ୍ୟକ କର୍ମୀ କୁଆଡୁ ଆସିଲେ ଓ ସମସ୍ତଙ୍କୁ ମୁଁ ଜାଣିନାହିଁ ବୋଲି କହିଛନ୍ତି ଅପରାଜିତା । ଏହାସହ କୌଣସି ପ୍ରକାର କୋଭିଡ ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ବିତଣ୍ଡା ଯୁକ୍ତି ବାଢିଛନ୍ତି ଭୁବନେଶ୍ୱର ସାଂସଦ । ବିକାଶର ଦ୍ୱାହି ଦେଇ ଅଭିଯୋଗକୁ ଏଡାଇଯିବାକୁ ଚାହିଁଥିଲେ ଅପରାଜିତା । ତେବେ ପ୍ରଶ୍ନ ଉଠୁଛି ଜନ୍ମଦିନ ପାଳନ କଣ ବିକାଶମୂଳକ କାର୍ଯ୍ୟର ଅଂଶବିଶେଷ କି? ଫଟୋ ଓ ଭିଡ଼ିଓ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିବା ଅପରାଜିତା ନିଜେ ଭୁଲ କଲେ କେମିତି? ମୋଦିଙ୍କୁ ଅନୁସରଣ ଓ ଆଦର୍ଶ ମାନୁଥିବା ଅପରାଜିତା କୋଭିଡ କଟକଣାକୁ କିଭଳି ଭୁଲିଗଲେ, ଯେତେବେଳେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଭଳି ଭବ୍ୟ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଓ କୋଭିଡ ନିୟମ କେମିତି ପାଳନ କରାଯାଏ ତାହାର ନିଦର୍ଶନ ପୂରା ଦେଶବାସୀଙ୍କୁ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ତେଣୁ ମୋଦିଙ୍କୁ ଆଦର୍ଶ ମାନୁଥିବା ଅପରାଜିତା କିଭଳି ଭାବନାତ୍ମକ ହୋଇ ଭୂତାଣୁର ଭୟକୁ ଭୁଲିବା ସହ ନାଚଗୀତରେ ମସଗୁଲ ହୋଇଗଲେ?