ପୁରୁଷ ହକି ଦଳର ବିଜୟ ବେଳେ କେମିତି ଥିଲା କମେଣ୍ଟ୍ରି ରୁମର ଚିତ୍ର : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

707

କନକ ବ୍ୟୁରୋ : ଏକ ଏଭଳି ଦୃଶ୍ୟ ଯାହା ଗତକାଲି ସାରା ଦେଶର ହକିପ୍ରେମୀ ଅନୁଭବ କରିଥିବେ । ଟୋକିଓର ଆଷ୍ଟ୍ରୋଟର୍ଫରେ ଇତିହାସ ଲେଖୁଥିଲା ଭାରତୀୟ ପୁରୁଷ ହକି ଦଳ । ଆଉ ଭାରତର ବିଜୟ ସହ ସାରା ଦେଶରେ ହକିପ୍ରେମୀଙ୍କ ଆଖି ଖୁସିରେ ଛଳ ଛଳ ହୋଇଯାଉଥିଲା । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା କମେଣ୍ଟ୍ରି ବକ୍ସରେ । ଆପଣଙ୍କ ପାଖରେ ଟିଭି ପରଦା ଜରିଆରେ ପଡିଆ ଘଟୁଥିବା ଟିକନିକ ଘଟଣାର ତଥ୍ୟ ପହଂଚାଉଥିବା କମେଣ୍ଟେଟର ବା ଭାଷ୍ୟକାର ଗତକାଲି ଭାର ବିଜୟ ପ୍ରଥମ ସାକ୍ଷୀ ପାଲଟିଥିଲେ । ନିର୍ଦ୍ଧାରିତ ସମୟ ଭିତରେ ଭାରତୀୟ ପୁରୁଷ ହକି ଦଳ ୩-୧ଗୋଲରେ ବ୍ରିଟେନକୁ ହରାଇ ବିଜୟ ସୁନିଶ୍ଚିତ କରିବା ପରେ କିଛି ଏଇଭଳି ଥିଲା କମେଣ୍ଟ୍ରି ରୁମର ଦୃଶ୍ୟ ।

ଯେତେବେଳେ ହିନ୍ଦିରେ କମେଣ୍ଟ୍ରି କରୁଥିବା ଦୁଇ ଭାଷ୍ୟକାର ସିର୍ଦ୍ଧାର୍ଥ ପାଣ୍ଡ୍ୟା ଓ ସୁନୀଲ ତନେଜା, ଏକଦମ ଭାବବିହ୍ୱଳ ହୋଇପଡିଥିଲେ । ୪୧ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଇତିହାସ ରଚିଥିବା କହି କାନ୍ଦି ପକାଇଥିଲେ । ହାତରେ ମାଇକ ଧରି ଭାରତର ସେମିଫାଇନାଲ ପ୍ରବେଶ କଥା କହିଲା ବେଳେ ଦୁଇ ଭାଷ୍ୟକାରଙ୍କ ଆଖିରୁ ଲୁହ ବୋହି ଆସିଥିଲା ଏବଂ ଖୁସିରେ କଣ୍ଠରୋଧ ହୋଇଯାଉଥିଲା । ଗତକାଲି ଟିଭିରେ ଭାରତୀୟ ପୁରୁଷ ହକି ଦଳର ଚମକ୍ରାର ପ୍ରଦର୍ଶନ ଦେଖି ସମସ୍ତ ହକିପ୍ରେମୀଙ୍କ ଛାତି କୁଣ୍ଢେମୋଟ ହୋଇଯାଇଥିବ । ଠିକ୍ ଯେମିତି କମେଣ୍ଟ୍ରି ବକ୍ସରେ ବସି ଆପଣଙ୍କୁ ପ୍ରତକ୍ଷ୍ୟଦର୍ଶୀ ଧାରାବିବରଣୀ ଦେଉଥିବା ଏହି ଦୁଇ ଭାଷ୍ୟକାରଙ୍କ ଅବସ୍ଥା ହୋଇଥିଲା ।