କନକ ବ୍ୟୁରୋ : ୨୦୧୦ରେ ଆଇଟିଆଇ ଓ ୨୦୧୩ରେ ବି-ଟେକ୍ ପାସ କରି ଔରଙ୍ଗାବାଦରେ ଟେକିନିକାଲ ପୋଷ୍ଟରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ଭଞ୍ଜନଗର ଡଙ୍ଗୁଆପଲ୍ଲୀ ଗାଁର ଜିତେନ୍ଦ୍ର ରାଉତ । ଏପଟେ ଘରେ ବାପା ଓ ମା ଏକୁଟିଆ ରହୁଥିଲେ । ଦୁଇ ଭଉଣୀକୁ ଧାର କରଜ କରି ବାପା ବାହାଦେବା ପରେ ଘର ଚଳିବା ପାଇଁ ଅର୍ଥର ଆବଶ୍ୟକତା ରହିଥିଲା । ଏହି ସମୟରେ କରୋନା ମହାମାରୀ ଯୋଗୁଁ ଚାକିରି ଛାଡ଼ି ଘରକୁ ଫେରିବା ପାଇଁ ବାଧ୍ୟ ହୋଇଥିଲେ ଜିତେନ୍ଦ୍ର । ଗାଁକୁ ଫେରିବା ପରେ ନିଜର ୩୫ ଏକର ଜମିରେ ଆରମ୍ଭ କଲେ ଚାଷ କାମ । ପ୍ରଥମେ ଧାନ, ଧାନରୁ ପାଳ ଓ ନଡ଼ା ଆଦାୟ କରି ଗୋପାଳନ କଲେ । ନଡ଼଼ାରୁ ପାଳ ଛତୁ ଓ ଧାନ ପରେ ନିଜ ଜମିରେ ସୂର୍ଯ୍ୟମୂଖି ଫୁଲ ଚାଷ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କଲେ ଜିତେନ୍ଦ୍ର ।

Advertisment

ପାଳ ଓ ନଡ଼଼ାରୁ ଛତୁ ଚାଷ କରିବା ପରେ ପୋଚ ନଡ଼଼ାକୁ ଖତ କରିବାରେ ବ୍ୟବହାର କଲେ । ଠିକ୍ ସେହିପରି ପରିବା ଚୋପା ଓ ସୁଖିଲା ଗଛକୁ କାଟି ଜିତେନ୍ଦ୍ର ଜିଆ ଖତ ପ୍ରସ୍ତୁତ କରନ୍ତି । ପ୍ରତିକୁଣ୍ଡରେ ଛତୁରୁ ବାହାରୁଥିବା ପୋଚା ପାଳ, ଗାଇ ଗୋବର, ସୁଖିଲା ପତ୍ର, ସୁଖିଲା ସୂର୍ଯ୍ୟମୁଖି ଫୁଲର ଆବର୍ଜନା ସହ ୧ କେଜି ଜିଆ ପକାଇ ଦିନକୁ ଦୁଇ ଥର ପାଣି ସିଂଚନ କରନ୍ତି । ତିନି ମାସ କମ୍ପୋଷ୍ଟ କରି ଜୈବଖତ ପ୍ରସ୍ତୁତ କରାଯାଏ । ଗୋଟିଏ କୁଣ୍ଡରେ ତିନିମାସକୁ ଥରେ ୫୦୦ କେଜିର ଖତ ସଂଗ୍ରହ କରିଥାନ୍ତି ଜିତେନ୍ଦ୍ର । ସରକାରୀ ସ୍ତରରେ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥିବାରୁ ସେ ଚାଷ କାମରେ ବେଶ ସପଂଳତା ପାଇଥିବା କହିଛନ୍ତି ।

ନିଜ ଜମିରୁ ସଂଗୃହିତ ହେଉଥିବା ଅନାବନା ପଦାର୍ଥରୁ ଖତ ପ୍ରସ୍ତୁତ କରି ନିଜ ଜମିରେ ହିଁ ବ୍ୟବହାର କରି ବେସ ଭଲ ଫସଲ ଅମଳ କରନ୍ତି । ଏହା ସହ ବର୍ଷକୁ ୧୫ ଟନ୍ ଜୈବିକ ଖତ ବିକ୍ରି କରି ବେଶ ଲାଭବାନ ହୁୃଅନ୍ତି । ଚାକିରି ଅପେକ୍ଷା ଚାଷ କାମରୁ ତାଙ୍କୁ ଅଧିକ ଲାଭ ମିଳୁଥିବା କହିଛନ୍ତି ଜିତେନ୍ଦ୍ର ।