ବାଇକ୍ ଚଲାଉଛନ୍ତି, ଗୁପଚୁପ୍ ବିକୁଛନ୍ତି । ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ସ୍ୱାସ୍ଥ୍ୟକର ଗୁପଚୁପ୍ । ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି ।

609

କନକ ବ୍ୟୁରୋ: ଆଜିର ଦିନରେ ବେରୋଜଗାରୀକୁ ନେଇ ଅନେକ ଲୋକ ଚିନ୍ତାରେ । କେଉଁଠି ଚାକିରି କରିବି? କେତେ ଟଙ୍କା ରୋଜଗାର କରିବି? ତାକୁ ନେଇ ଚିନ୍ତାରେ ଯୁବପୀଢି । ହେଲେ ଏପରି ସମୟରେ ଜଣେ ବି.ଟେକ୍ ପଢୁଆ ଛାତ୍ରୀ ଏମିତି କିଛି କାମ କରି ଦେଖାଇଛନ୍ତି, ଯାହା ଯୁବପୀଢିଙ୍କୁ ନୂଆ କିଛି କରିବାକୁ ନିଶ୍ଚୟ ଆକର୍ଷିତ କରିବ । ବି.ଟେକ୍ ପଢୁଆ ଏହି ଛାତ୍ରୀ ଜଣକ ଆରମ୍ଭ କରିଛନ୍ତି ଗୁପଚୁପ୍ ବିକ୍ରି ।

ଦିଲ୍ଲୀର ତିଲକନଗରରେ ତାପସୀ ଉପାଧ୍ୟାୟ ନାମକ ଏହି ଝିଅ ‘ବିଟେକ୍ ପାନୀପୁରୀ ବାଲି’ ନାଁରେ ଏକ ଗୁପଚୁପ୍ ଷ୍ଟଲ ଚଲାଇଛନ୍ତି । ତେବେ ବିଟେକ୍ ପଢୁଆ ଏହି ଛାତ୍ରୀଙ୍କର ଏଭଳି ନିଆରା ଅନ୍ଦାଜ ତାଙ୍କୁ ଚାରିଆଡେ ଲୋକପ୍ରିୟ କରିବା ସହିତ ତାଙ୍କ ଗୁପଚୁପ୍ ଷ୍ଟଲର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ନିଜ ସ୍କୁଟିରେ ଷ୍ଟଲ ଖୋଲି ଗୁପଚୁପ୍ ବିକୁଥିବା ଏହି ଯୁବତୀ ଜଣକ ବିନା ତେଲରେ ଗୁୁପଚୁପ୍ ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଛନ୍ତି ।

ଇଞ୍ଜିନିୟରିଂ ଛାତ୍ର ତାପସୀଙ୍କ କହିବା କଥା, ପ୍ରଥମରୁ ହିଁ ବାଇକ୍ ଚଲେଇବା ସହ ସ୍ୱାସ୍ଥ୍ୟକର ଖାଇବା ପ୍ରସ୍ତୁତ କରିବା ତାଙ୍କର ଇଚ୍ଛା ଥିଲା । ସେଥିପାଇଁ ସେ ଏପରି କିଛି ନୂଆ କରିବାକୁ ଚିନ୍ତା କଲେ । ଇଞ୍ଜିନିୟରିଂ ପଢିବା ସମୟରେ ତାଙ୍କ ମୁଣ୍ଡକୁ ଷ୍ଟାର୍ଟଅପର ଆଇଡିଆ ଆସିଥିଲା । ଏହାପରେ ସେ ଏହି ବି.ଟେକ୍ ପାନୀପୁରୀ ନାମକ ଷ୍ଟଲ ଆରମ୍ଭ କରିଥିଲେ । ତେବେ ତାପସୀଙ୍କ ଏହି ନିଆରା ଗୁପଚୁପ ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଲୋକମାନେ ଏହି ଷ୍ଟଲକୁ ପସନ୍ଦ କରିଥିଲେ । ଯାହା ଫଳରେ ତାପସୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି ।

ତାପସୀଙ୍କ କହିବା ମୁତାବକ, ସେ ପ୍ରସ୍ତୁତ କରୁଥିବା ଗୁପଚୁପ ତେଲରେ ଛଣାଯାଏନି । ସେ ପ୍ରସ୍ତୁତ କରୁଥିବା ଗୁପଚୁପ୍ ହେଉଛି ସ୍ୱାସ୍ଥ୍ୟକର ଗୁପଚୁପ୍ । ସେ ନିଜ ହାତରେ ସେ ସବୁକୁ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ୪ଟି ଷ୍ଟଲ ଥିବାବେଳେ, ଆଗକୁ ସେ ଏହି ଷ୍ଟଲ ସଂଖ୍ୟା ବୃଦ୍ଧି କରିବେ ବୋଲି କହିଛନ୍ତି ।