କର୍ଣ୍ଣାଟକରେ ଆଜିଠାରୁ ଆରମ୍ଭ ହେବ ବସବରାଜ ବୋମାଇଙ୍କ ସରକାର : ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବସବରାଜ

130

କନକ ବ୍ୟୁରୋ : କର୍ଣ୍ଣାଟକରେ ଆଜିଠାରୁ ଆରମ୍ଭ ହେବ ବସବରାଜ ବୋମାଇଙ୍କ ସରକାର । ଆଜି ବସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରାଯାଇଥିଲା । ବୈଠକ ପରେ ବିଧାୟକ ଦଳର ନିଷ୍ପତ୍ତିକୁ ଘୋଷଣା କରିଥିଲେ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାୟକଦଳ ବୈଠକରେ ବସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ ୟେଦିୟୁରପ୍ପା ।

ବସବରାଜ ବୋମାଇ ୟେଦିୟୁରପ୍ପା ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିଲେ । ବସବରାଜ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ । ସେ ୟେଦିୟୁରପ୍ପାଙ୍କ ବେଶ ଘନିଷ୍ଠ ଓ କର୍ଣ୍ଣାଟକର ପ୍ରଭାବଶାଳୀ ଲିଙ୍ଗାୟତ ସମୁଦାୟରୁ ଆସିଛନ୍ତି । ବସବରାଜ ବୋମାଇ ଜନତାଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିିଥିଲେ । ୨୦୦୮ରେ ସେ ବିଜେପିରେ ଯୋଗଦେଇଥିଲେ । ସେ ୧୯୯୮ ଓ ୨୦୦୪ରେ କର୍ଣ୍ଣାଟକ ବିଧାନ ପରିଷଦକୁ ବି ନିର୍ବାଚିତ ହୋଇଥିଲେ । ବହୁ ଚାପ ପରେ ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୟେଦିୟୁରପ୍ପା ।

ବସବରାଜ ବୋମାଇ କିଏ ? 
– ୧୯୬୦ ଜାନୁଆରୀ ୨୮ରେ ବସବରାଜଙ୍କ ଜନ୍ମ
– ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା
– ୟେଦିୟୁରପ୍ପା ସରକାରରେ ଗୃହମନ୍ତ୍ରୀ ଥିଲେ
– କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍. ଆର ବୋମାଇଙ୍କ ପୁଅ
– ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ
– ଜଣେ ଯନ୍ତ୍ରୀ, କୃଷିବିତ୍ ଏବଂ ଶିଳ୍ପପତି ଭାବେ ଜଣାଶୁଣା
– ରାଜ୍ୟରେ ଜଳସେଚନର ବିକାଶ ପାଇଁ ଉଲ୍ଲେଖନୀୟ କାମ କରିଛନ୍ତି