ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଏସପି ନେତା । କହିଲେ, ମୋ ଟଙ୍କା ନ ଫେରାଇଲେ ଆତ୍ମଦାହ କରିବି ।

617

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କଲେ, କିନ୍ତୁ ଟିକେଟ ମିଳିଲାନି । ନିର୍ବାଚନ ଲଢିବା ଆଶା ମଉଳିବା ପରେ ଭୋ ଭୋ କାନ୍ଦିଛନ୍ତି ନେତା । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଏବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଥିବା ବେଳେ ନାମାଙ୍କନ ଦାଖଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ । କିନ୍ତୁ ଅନ୍ୟପଟେ ବିଏସପି ନେତା ଅରସଦ ରାଣା ଟିକେଟ  ନ ପାଇବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି । ଯାହା ଉତ୍ତରପ୍ରଦେଶ ରାଜନୀତିକୁ ରୋଚକ କରିଛି ।

ଅର୍ସଦ ରାଣା କହିଛନ୍ତି, ଦଳ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ ଶେଷ ମୁହୂର୍ତ୍ତରେ ଟିକେଟ ପାଇଁ ମନା କରାଗଲା । ଟିକେଟ ମିଳିବା ଆଶାରେ ଦୀର୍ଘ ଦିନ ହେବ ନିଜକୁ ପ୍ରସ୍ତୁତ କରି ଆସୁଥିଲେ ଅର୍ସଦ । ନିର୍ବାଚନମଣ୍ଡଳୀ ବୁଲିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । କିନ୍ତୁ ଟିକେଟ କାଟିବା ସହ ଦଳ ତାଙ୍କୁ ବେଜିତ କରିଛି ବୋଲି କହିଛନ୍ତି ଅର୍ସଦ ।

ଟିକେଟ ନ ମିଳିବା ପରେ ଅର୍ସଦ କାନ୍ଦୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅର୍ସଦ ଏହି ଭିଡ଼ିଓରେ କହୁଛନ୍ତି ଯେ, ଏମିତି ହେବ ବୋଲି କେବେ ଭାବିନଥିଲି । ମୋତେ କାର୍ଯ୍ୟାଳୟ ଭିତରକୁ ଡାକି ଟିକେଟ ମିଳିବନି ବୋଲି କହିଲେ । ଦଳ ପାଇଁ ବହୁତ କିଛି କରିବା ପରେ ମଧ୍ୟ ମୋ ସହ ଛଳନା କରାଗଲା । ଏହାସହ ଅର୍ସଦ କହିଛନ୍ତି ଟିକେଟ ଦେବା ନାଁରେ ମୋ ଠାରୁ ୬୭ ଲକ୍ଷ ଟଙ୍କା ନିଆଯାଇଛି । ଏପରିକି ୨୦୧୮ରେ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ଏମିତି କେମିତି ବଦଳିଗଲା । ତେବେ ଟିକେଟ ନ ମିଳିବା ପରେ ଫେସବୁକରେ ଏକ ପୋଷ୍ଟ କରି ଅର୍ସଦ ଲେଖିଛନ୍ତି ଯେ, ଟିକେଟ ଦେବା ନାଁରେ ଯେଉଁ ଟଙ୍କା ମୋ ଠାରୁ ନିଆଯାଇଛି ତାହା ଯଦି ମୋତେ ନ ମିଳିବ ତେବେ ମୁଁ ବିଏସପି ସୁପ୍ରିମୋ ମାୟାବତୀଙ୍କ ବାସଭବନ ଆଗରେ ଆତ୍ମଦାହ କରିବି ।