ପ୍ରଧାନମନ୍ତ୍ରୀ ପଦ ପାଇଁ ପଲିଟିକ୍ସ ! ୧୯ ପରୀକ୍ଷା ଫଳ ପୂର୍ବରୁ ମାୟାବତୀ କହିଲେ, ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପୁରା ଫିଟ୍ ।

ଯଦି ବିକାଶକୁ ଦେଖାଯାଏ ତେବେ ଉତ୍ତର ପ୍ରଦେଶର ବିକାଶ କିଭଳି କରିଛି ବିଏସପି, ତାହା ସାରା ଦେଶବାସୀଙ୍କୁ ଜଣା । ଏପରିକି ଲକ୍ଷ୍ନୌର ସୌନ୍ଦର୍ଯ୍ୟକରଣ ଦେଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । ଆଉ ଏହାକୁ ଦେଖିବା ପରେ ଦେଶବାସୀ ବିଏସପି ସୁପ୍ରିମୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମାୟାବତୀ ।

759

କନକ ବ୍ୟୁରୋ: ଗଣତନ୍ତ୍ର ମହାପର୍ବ ଅର୍ଥାତ୍ ବିଭିନ୍ନ ଦଳ ପାଇଁ ହୋଇଥିବା ୨୦୧୯ ମହା ପରୀକ୍ଷାର ଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ । ଆଉ କେନ୍ଦ୍ରରେ କିଏ ସରକାର ଗଢ଼ିବ ଏବଂ ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କିଏ ହେବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଛି । ଏପରିକି ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ନିଜକୁ ଅଯୋଗ୍ୟ କହୁଥିବାବେଳେ ଏହି ପଦ ପାଇଁ ନିଜକୁ ସବୁଠାରୁ ଯୋଗ୍ୟ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁର୍ନବାର ଏହି ପଦବୀ ପାଇଁ ଫିଟ୍ ନୁହନ୍ତି ବୋଲି ସମାଲୋଚନା କରିଛନ୍ତି ମାୟାବତୀ । ଯାହାକୁ ନେଇ ଏବେ କେନ୍ଦ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ମାୟାବତୀ ଏହି ପଦବୀ ପାଇଁ ଦମ୍ଭୋକ୍ତି ବାଢିବା ପଛର କାରଣ ମଧ୍ୟ ଖୁଲାସା କରିଛନ୍ତି । ଆଉ କହିଛନ୍ତି କି, ଯଦି ବିକାଶକୁ ଦେଖାଯାଏ ତେବେ ଉତ୍ତର ପ୍ରଦେଶର ବିକାଶ କିଭଳି କରିଛି ବିଏସପି, ତାହା ସାରା ଦେଶବାସୀଙ୍କୁ ଜଣା । ଏପରିକି ଲକ୍ଷ୍ନୌର ସୌନ୍ଦର୍ଯ୍ୟକରଣ ଦେଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । ଆଉ ଏହାକୁ ଦେଖିବା ପରେ ଦେଶବାସୀ ବିଏସପି ସୁପ୍ରିମୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମାୟାବତୀ ।

ଅନ୍ୟପଟେ ୪ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା କାଳରେ ତାଙ୍କ ଛବିରେ କୌଣସି ଦାଗ ରହିନଥିବା ଦମ୍ଭୋକ୍ତି ବାଢ଼ିଛନ୍ତି ମାୟାବତୀ । ଏପରିକି ତାଙ୍କ ଶାସନ କାଳରେ ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ସବୁଠାରୁ ଉତ୍ତମ ରହିଥିଲା । ଯେଉଁଠି କି ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ସମୟରେ ଗୁଜୁରାଟ ଦଙ୍ଗା ଦେଶର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଛି । ତେଣୁ ଯେଉଁଠି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ଫେଲ୍ ମାରିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ପଦବୀରେ ବି ସେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି କହି ମୋଦିଙ୍କୁ ସିଧା ନିଶାନା କରିଛନ୍ତି ମାୟାବତୀ ।

ସେହିପରି ଗତ କିଛି ଦିନ ପୂର୍ବେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀଙ୍କ ମଧ୍ୟରେ ତିନୋଟି ନାମକୁ ସମର୍ଥନ ଜଣାଇଥିଲେ । ଯେଉଁଥିରେ ମାୟାବତୀଙ୍କ ସର୍ବାଗ୍ରେ ରହିଥିଲା । ଏପରିକି ମାୟାବତୀଙ୍କ ବ୍ୟତୀତ ଅଖିଲେଶ ଯାଦବଙ୍କୁ ମଧ୍ୟ ପିଏମ ପଦ ପାଇଁ ମାୟାବତୀଙ୍କୁ ପ୍ରମୁଖ ଦାବିଦାର ବୋଲି କହିଥିଲେ ଶରଦ ପାୱାର । ତେବେ ଆସନ୍ତା ୨୩ ତାରିଖରେ ଯେତେବେଳେ ୨୦୧୯ର ପରୀକ୍ଷା ଫଳ ପ୍ରକାଶ ପାଇବ ସେତେବେଳେ କିଏ ଏହି ପଦବୀ ପାଇଁ ଯୋଗ୍ୟ ଆଉ ଅଯୋଗ୍ୟ ସ୍ପଷ୍ଟ ହୋଇଯିବ ।