ନୂଆ ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଲା ୪୭ ଟଙ୍କିଆ ପ୍ଲାନ । ଡାଟା ସହ ପାଆନ୍ତୁ ଅସୀମିତ କଲିଂ ସୁବିଧା

648

କନକ ବ୍ୟୁରୋ : ଜିଓ, ଭୋଡାଫୋନ୍ ଓ ଭାରତୀ ଏୟାରଟେଲକୁ ଟକ୍କର ଦେବାକୁ ଭାରତ ସଂଚାର ଲିମିଟେଡ (ବିଏସଏନଏଲ) ଶନିବାର ଦିନ ଦେଶର ସବୁଠାରୁ ଶସ୍ତା ପ୍ଲାନର ଶୁଭାରମ୍ଭ କରିଛି । କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି ୪୭ ଟଙ୍କିଆ ପ୍ଲାନରେ ଆପଣ ଅସୀମିତ ଭଏସ୍ କଲିଂ (ବିଏସଏନଏଲ ରୁ ବିଏସଏନଏଲ) , ଡାଟା ଓ ଏସଏମଏସ ଭଳି ସୁବିଧା ରହିଛି ।

କହିରଖୁ କି ଦେଶରେ ମୋବାଇଲ ସେବା ପ୍ରଦାନ କରୁଥିବା ଅନ୍ୟ କମ୍ପାନୀ ମାନଙ୍କର ଶସ୍ତା ପ୍ଳାନ ଠାରୁ ବିଏସଏନଏଲର ଏହି ପ୍ଲାନ ଆହୁରି ଶସ୍ତା ରହିଛି । ହେଲେ ଏହି ପ୍ଲାନ ପାଇଁ କମ୍ପାନୀ ତରଫରୁ କିଛି ସର୍ତ୍ତାବଳୀ ଲାଗୁ କରାଯାଇଛି । ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମଥର ପାଇଁ ରିଚାର୍ଜ କରୁଥିବେ ସେହିମାନେ ହିଁ କେବଳ ଏହି ପ୍ଲାନରୁ ଲାଭ ଉଠାଇ ପାରିବେ । ଅନ୍ୟ କମ୍ପାନୀ ମାନଙ୍କ ଠାରୁ ବିଏସଏନଏଲର ଏହି ପ୍ଲାନ ସବୁଠାରୁ ଶସ୍ତା । ପୂର୍ବରୁ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜିଓ ସିମର ପ୍ରାଇମ ସବକ୍ରିପସନ୍ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଦେବାକୁ ପଡୁଥିଲା ।

ବିଏସଏନଏଲର ଏହି ୪୭ ଟଙ୍କିଆ ଫାଷ୍ଟ ରିଚାର୍ଜ ପ୍ଲାନରେ ଗ୍ରାହକ ମାନେ ବିଏସଏନଏଲ ରୁ ବିଏସଏନଲକୁ ଅସୀମିତ କଲିଂ ସୁବିଧା ସହ ରୋମିଂ ସୁବିଧା ପାଇପାରିବେ । ଏହା ସହ ୨୮ ଦିନର ବୈଧତା ସହ ୧୪ ଜିବି ଡାଟା ବି କମ୍ପାନୀ ପକ୍ଷରୁ ଦିଆଯାଉଛି । ଅନ୍ୟପଟେ ଏହି ପ୍ଲାନ ରିଚାର୍ଜ କରିଥିବା ଗ୍ରାହକ ଦୈନିକ ୧୦୦ ଏସଏମଏସ ମଧ୍ୟ କରିପାରିବେ । ଫାଷ୍ଟ ରିଚାର୍ଜ ୪୭ କୁ ପ୍ରୋତ୍ସାହନମୂଳକ ଭାବେ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ରଖା ଯାଇଛି । ଏହି ପ୍ଲାନ ବର୍ତ୍ତମାନ ଚେନ୍ନାଇ ଓ ତାମିଲନାଡୁ ଟେଲିକମ ସର୍କଲରେ ନୂତନ ଗ୍ରାହକ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।