ଓଡିଶାରେ କାମ ଦେଉନି ବିଏସଏନଏଲ୍ । କଥା ହେବା ପାଇଁ ସୀମା ଡେଇଁ ଆନ୍ଧ୍ର ଯାଉଛନ୍ତି ଲୋକେ ।

658

କନକ ବ୍ୟୁରୋ : ଲୋକ ଓଡ଼ିଶାର, କଥା ଆନ୍ଧ୍ରର । ଫୋନରେ ଟିକିଏ କଥା ହେବା ପାଇଁ ନେଟୱାର୍କକୁ ଚାହିଁ ରହିଛନ୍ତି ଲୋକେ । ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି, କେତେବେଳେ ଆସିବ ନେଟୱାର୍କ । ଏହା ଆଜି କି କାଲିର ସମସ୍ୟା ନୁହେଁ, ଦୀର୍ଘ ୭ ବର୍ଷ ହେଲା, ଏମିତି ନେଟୱାର୍କ ସମସ୍ୟାକୁ ସାମ୍ନା କରୁଛନ୍ତି, ଲାଲଗଡ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାବାସୀ ।

ନାହିଁ ନାହିଁରେ ଚାଲିଛି ବିଏସଏନଏଲ ସେବା । ୪ଜି ଇଂଟରନେଟ୍ ଯୁଗରେ ଦୁନିଆ ମତୁଆଲା ହେଉଥିବା ବେଳେ, ବିଏସଏନଏଲର ୨ଜି ନେଟୱାର୍କ ପାଇଁ ସଂଘର୍ଷ କରୁଛନ୍ତି ଚିତ୍ରକୋଣ୍ଡାବାସୀ । ଏଠାରେ ଗତ ୨୦୦୬ ମସିହାରୁ ବିଏସଏନଏଲ ନେଟୱାର୍କ ଯୋଗାଇ ଆସୁଥିବା ବେଳେ, ରକ୍ଷଣାବେକ୍ଷଣାର ଅଭାବ ଯୋଗୁଁ କାମ କରୁନି ନେଟୱାର୍କ । ଆଉ ସବୁଠାରୁ ବଡ କଥା ହେଉଛି, ଟିକିଏ କଲ୍ କରିବାକୁ ହେଲେ ରାଜ୍ୟ ବଦଳାଇବାକୁ ପଡେ । ଫୋନରେ କଥା ହେବା ପାଇଁ ଓଡିଶା ଛାଡି ପଡୋଶୀ ଆନ୍ଧ୍ରପ୍ରଦେଶକୁ ଯାଇଥାନ୍ତି ଚିତ୍ରକୋଣ୍ଡାବାସୀ ।

କେବଳ କଲ୍ ନୁହେଁ, ନେଟୱାର୍କ ନଥିବାରୁ ବ୍ୟାଙ୍କ କାମ ଠାରୁ ଆରମ୍ଭ କରି, ବିଭିନ୍ନ ଜରୁରୀକାଳୀନ ସେବା ଠିକ୍ ସମୟରେ ହୋଇପାରିନଥାଏ । ଦୀର୍ଘ ୭ ବର୍ଷ ଧରି ଲୋକମାନେ ଏମିତି ଅନେକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ସମସ୍ୟାକୁ ଭିତି କରି ବିକ୍ଷୋଭ କରାଯାଉଥିଲେ ସୁଦ୍ଧା, କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି । ଅନେକ ବର୍ଷ ଧରି ନେଟୱାର୍କ ସମସ୍ୟାରେ ଲୋକମାନେ ପେଶି ହେଉଥିବାବେଳେ, ଯଦି ସରକାର ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଚିତ୍ରକୋଣ୍ଡାବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି ।