ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କେଉଁମାନେ ପାଇପାରିବେ ସ୍ମାର୍ଟ ହେଲଥ୍ କାର୍ଡ?

403

କନକ ବ୍ୟୁରୋ : ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ରୂପରେ ଆସିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି ନବୀନ । ଏହି ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ନବୀନ । ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ  ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ।  ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବାବଦରେ ଘୋଷଣା କରିଥିବା ବେଳେ ଆଜି ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆଉ ଏହାର ଶୁଭାରମ୍ଭ ମାଲକାନଗିରିରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ପରେ ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ ।  ଯାହା ଦର୍ଶାଉଛି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ମାଲକାନଗିରି ।

ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଏଭଳି ଅନେକ ଐତିହାସିକ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ସାରା ଭାରତରେ ଜନନାୟକ ଭାବେ ସାମ୍ନାକୁ ଆସିଛନ୍ତି । ପୂରା ଦେଶ ଓ ବିଶ୍ୱ ନବୀନଙ୍କୁ ପ୍ରଂଶସା କରୁଛି । ଭାରତର ଅନେକ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନ୍ୟ ମାନଙ୍କ ପାଇଁ ନବୀନ ଉଦାହରଣ ସୃଷ୍ଟି କରିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ମନ୍ତ୍ରୀ ମାନେ ବିଭିନ୍ନ ବ୍ଲକ ବୁଲି ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଆସନ୍ତା ୨୩ ତାରିଖ ଯାଏଁ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିବ । ମାଲକାନଗିରି ଗସ୍ତ ପରେ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଏହାସହ ଗଞ୍ଜାମର ହିଞ୍ଜିଳିକାଟୁ ଓ ସେରଗଡରେ ଅତ୍ୟାଧୁନିକ ସୁବିଧା ସହ ହୋଇଥିବା ସ୍ମାର୍ଟ ସ୍କୁଲ ଗୁଡିକର ମଧ୍ୟ ପର୍ଯ୍ୟାୟକ୍ରମେ ଉଦଘାଟନ କରିବେ ନବୀନ । ଏହି ସ୍ମାର୍ଟ ସ୍କୁଲ ଗୁଡିକର ଉଦଘାଟନ ପରେ ବିଧାୟକ ମାନେ ଏହି ସ୍କୁଲ କିଭଳି ବୁଲି ଭିତ୍ତିଭୂମି ଦେଖିବେ ସେନେଇ ପ୍ରସ୍ତୁତି ସରିଛି । ବିଧାୟକ ମାନେ ବୁଲି ଦେଖିବା ପରେ ନିଜ ଅଞ୍ଚଳର କିଛି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ପଦକ୍ଷେପ ନେବେ ।