କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭ୍ରାଟ । ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ସୁଫଳ ପାଇଥିବା ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ପୋଷ୍ଟର ମରାଯାଇଥିଲା । ସେହି ପୋଷ୍ଟରରେ ଥିବା ମହିଳାଙ୍କ ନାଁକୁ ନେଇ ମୁହଁ ଖୋଲିଲେ ମହିଳାଙ୍କ ସ୍ୱାମୀ । କହିଲେ, ଯୋଜନାରେ ଲାଭ ପାଇନାହାନ୍ତି ତାଙ୍କ ସ୍ତ୍ରୀ । ଏଭଳି ଅଭିଯୋଗ ପରେ ସଂପୃକ୍ତ ମହିଳାଙ୍କ ପୋଷ୍ଟର ଚିରି ଦେଇଛନ୍ତି ମେଡିକାଲ କର୍ତୃପକ୍ଷ ।

Advertisment

ଢେଙ୍କାନାଳ ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସଚିବଙ୍କ ଗସ୍ତକୁ ନଜରରେ ରଖି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କ ତାଲିକା ଲଗାଯାଇଥିଲା  । ସେହି ତାଲିକା ଭୁଲ ବୋଲି ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଉଥିବା ମହିଳା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଚିକିତ୍ସା ସୁବିଧା ପାଇନଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ରୋଗୀଙ୍କ ନାଁରେ ମିଥ୍ୟା ପୋଷ୍ଟର ମରାଯାଇଥିବା ଅଭିଯୋଗ କରି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ପୋଷ୍ଟରରେ ମିଛ ହିତାଧିକାରୀଙ୍କ ନାମ ଲେଖା ଯାଇଥିବା ଖବର ଜଣାପଡିବା ପରେ ମେଡିକାଲ କର୍ତୃପକ୍ଷ ତରବରିଆ ଭାବେ ସେହି ପୋଷ୍ଟରକୁ ଚିରି ଦେଇଛନ୍ତି । ଅଭିଯୋଗ ଆଣିଥିବା ଅଙ୍କୁର ସିଂହଙ୍କ ସ୍ତ୍ରୀଙ୍କ ପୋଷ୍ଟରକୁ ଚିରି ଦେଇଛନ୍ତି । ସେପଟେ ଏଭଳି ବିଭ୍ରାଟ ବାବଦରେ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି, ତଦନ୍ତ ହେଲେ ଘଟଣାର ସତ ଜଣାପଡିବ ।

ସିଡିଏମଓ ତଦନ୍ତର ଆଳ ଦେଖାଇ ଖସି ଯାଇଥିବା ବେଳେ ତରବରିଆ ହୋଇ ପୋଷ୍ଟର ଚିରିବା ଘଟଣାରୁ ଜଣାପଡୁଛି, ଫାଇଭ-ଟି ସଚିବଙ୍କୁ ମିଥ୍ୟା ପୋଷ୍ଟର ଦେଖାଇ ଭୂଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ମେଡିକାଲ କର୍ତ୍ତୁପକ୍ଷ ।