କନକ ବ୍ୟୁରୋ: ଆଜିଠୁ ମିଳିବ ବିଏସକେୱାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ । ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବଣ୍ଟାଯିବା ଲାଗି ବ୍ୟବସ୍ଥା ହୋଇଛି । ଏହି କାର୍ଡ ପାଇଁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ଡିଆରଡିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି ।