ରାଜ୍ୟ ବାହାରେ ଥିବା ଓଡ଼ିଆ ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା । ୧ କୋଟିରୁ ଅଧିକ ଲୋକ ହେଲେଣି ଉପକୃତ ।

75

କନକ ବ୍ୟୁରୋ: ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି । ରାଜ୍ୟ ଏବଂ ରାଜ୍ୟ ବାହାରେଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ରାଶିଥିବା ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ନେଇପାରିବ । ପୂର୍ବରୁ ପରିବାର ପିଛା ବାର୍ଷିକ ଆୟ ରାଶି ୧ ଲକ୍ଷ ଟଙ୍କା ନିର୍ଦ୍ଦାରିତ କରାଯାଇଥିଲା । ମୁଖ୍ୟତଃ କ୍ୟାନସର, ହୃଦରୋଗ ଏବଂ କିଡ଼ନୀ ରୋଗ ପାଇଁ ଏବେ ଏହି ଆୟ ରାଶିକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ତବେ ସେହି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ସବୁଠାରୁ ବଡ଼ କଥା ହେଲା ଏହା କେବଳ ରାଜ୍ୟ ନୁହେଁ ବଂର ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ । ତେବେ ରାଜ୍ୟ ବାହାରେଥିବା କେନ୍ଦ୍ରୀୟ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ଚକିତ୍ସାସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ହତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଚିକିତ୍ସା ଟଙ୍କା ଜମା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟବାହାରେ ରହୁଥିବା ରୋଗୀଙ୍କୁ ଯାତାୟତ ଖର୍ଚ୍ଚ ବାବଦରେ ୨ ହଜାର ଟଙ୍କା ମିଳିବ । ଏହି ଯୋଜନାରେ ୪ ହଜାର ୩୬ଟି ରୋଗପାଇଁ ଚିକିତ୍ସା ସହାୟତା ଦିଆଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୩୪୩ଟି ରୋଗ ପାଇଁ ଚିକିତ୍ସା ସହାୟତାର ବ୍ୟବସ୍ଥା ରହିଛି । ସବୁଠାରୁ ବଡ଼ କଥା ହେଲା ଯେ ଦେଶରେ ଥିବା ସମସ୍ତ ପ୍ରିମିୟର ହସ୍ପିଟାଲ୍ ଯଥା, ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ, ସିଏମସି ଭେଲ୍ଲୋରେ, ନାରାୟଣ ହୃଦାଳୟ ଭଳି ପ୍ରତିଷ୍ଠିତ ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଂଜିକୃତ ଥିବା ହିତାଧିକାରୀମାନେ ଏହାର ଫାଇଦା ଉଠାଇ ପାରିବେ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବଂ ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ବ୍ୟାପକ କରାଯିବାକୁ ଯୋଜନା କରାଯାଉଛି । ତେଣୁ କରି ପୂର୍ବରୁ ମଧ୍ୟ ଛତିଶଗଡର ୨ଟି ହସ୍ପିଟାଲ ଓ ଆନ୍ଧ୍ରପ୍ରଦେଶର ୪ଟି ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଫାଇଦା ଉଠାଇପାରିବେ ଲୋକେ ବୋଲି ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରପ୍ରଦେଶରେ ଥିବା ଆପୋଲ ହସ୍ପିଟାଲ, କେୟାର ହସ୍ପିଟାଲ, ସେଭେନ ହିଲ ହସ୍ପିଟାଲ ଓ ମହାତ୍ମା ଗାନ୍ଧି କ୍ୟାନସର ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହୋଇପାରିବେ ଲୋକେ ।

ତେବେ ରାଜ୍ୟରେ ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କ ସ୍ୱାଧୀନତା ଦେବାକୁ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଥଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାର ମୂଲ ଲକ୍ଷ୍ୟ ଥିଲା, ରାଜ୍ୟର କୌଣସି ବ୍ୟକ୍ତି ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚି ତ ନ ରୁହନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଓ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ଚିକିତ୍ସାଳୟରେ ବିନା ଦେୟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ୭୦ ଲକ୍ଷ ପରିବାର ।