‘ବିଏସକେୱାଇ’ ନେଇ ଦ୍ୱନ୍ଦ୍ୱ । ସ୍ପଷ୍ଟୀକରଣ ଦେଲେ ମନମୋହନ

2,084

କନକ ବ୍ୟୁରୋ : ବିଜେପି ସରକାର ଆସିବା ପରେ ବିଏସକେୱାଇ କାର୍ଡର ସୁଫଳ ମିଳିବ କି ନାହିଁ, ଯେଉଁମାନେ ଏହି ଯୋଜନାରେ ଚିକିତ୍ସିତ ହେଉଛନ୍ତି, ସେମାନେ ସ୍ୱାସ୍ଥ୍ୟ ସେବା କିପରି ପାଇବେ, ଏ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ଏହି ଦ୍ୱନ୍ଦ୍ୱ ଆହୁରି ବଢ଼ି ଯାଇଥିଲା । ଏହାପରେ ସ୍ପଷ୍ଟୀକରଣ ଦେଇଛନ୍ତି ମନମୋହନ । ପ୍ରେସ ରିଲିଜ୍ ଜାରି କରି କହିଛନ୍ତି,
‘ବିଏସକେୱାଇ’ କାର୍ଡ ବନ୍ଦ ହୋଇଥିବା କହି କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି, ତାହା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା । ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଂଚିତ କରିବା ସାମାଜିକ ଅପରାଧ । ଏହି ମିଥ୍ୟା ଗୁଜବ ପ୍ରତି ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ ।

ମନମୋହନ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ । ବିଏସକେୱାଇରେ ସୀମିତ ସୁବିଧା ରହିଛି, ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଓଡିଶାବାସୀଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ସୁବିଧା ମିଳିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।