ବାଂଲାଦେଶ ପଟୁ ବେଆଇନ୍ ଭାବେ ଭାରତକୁ ଆସୁଥିଲେ ଚୀନ୍ ନାଗରିକ । ସୀମାରେ ଅଟକ ରଖିଲେ ବିଏସଏଫ୍ ଯବାନ ।

287

କନକ ବ୍ୟୁରୋ : ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ବାଂଲାଦେଶର ସୀମାନ୍ତ ଓ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ଅଟକ ରଖିଥିଲେ । ଅଭିଯୋଗ ହୋଇଛି ଯେ ଏହି ଚୀନ ନାଗରିକ ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ବେଆଇନ ଭାବେ ପ୍ରବେଶ କରିଛି । ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ଚୀନ ନାଗରିକ ଜଣକ ମାଲଦାର ମାଣିକଚକକୁ ଲାଗିଥିବା ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରୁଥିବାବେଳେ ସେଠାରେ ଡ୍ୟୁଟିରେ ଥିବା ବିଏସଏଫର ଯବାନ ତାଙ୍କ ସନ୍ଦେହଜନକ ଗତିବିଧି ଦେଖିବା ପରେ ତାଙ୍କୁ ଅଟକ ରଖିଥିଲେ ।

ତାଙ୍କ ପାଖରୁ ଏକ ଲାପଟପ୍ ସହ ବାଂଲାଦେଶ ଭିସା ସହିତ ଚାଇନାର ପାସପୋର୍ଟ ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ପଚରାଉଚରା ପରେ ବିଏସଏଫ ତାଙ୍କୁ ମାଣିକଚକ ପୁଲିସ ଷ୍ଟେସନକୁ ହସ୍ତାନ୍ତର କରିଛି । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଚୀନର ନାଗରିକଙ୍କ ନାମ ହୋନ ଜୁନ (୩୬) । ସେ ବର୍ତ୍ତମାନ ମାଣିକଚକ ପୁଲିସ ଷ୍ଟେସନରେ ଅଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି ।

ସେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଭାରତ ଆସିବାକୁ ଚେଷ୍ଟା କରୁଥିଲେ ସେନେଇ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ତାଙ୍କୁ ପଚରାଉଚରା କରୁଛନ୍ତି । ଉଲ୍ଲେଖନୀୟ ଯେ, ବର୍ତ୍ତମାନ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଚାଲିଛି । ଏଭଳି ପରିସ୍ଥିତିରେ ଚୀନ୍ ନାଗରିକଙ୍କୁ ବାଂଲାଦେଶ ସୀମାରୁ ଗିରଫ କରାଯିବା ପରେ ଅନେକ ପ୍ରଶ୍ନ ଉଠିଛି ।