ରକ୍ତମୁଖା ମାଟିରେ ବିଏସଏଫ କ୍ୟାମ୍ପ…ଦିନେ ପୋଲିସ ଯେଉଁଠି ପହଞ୍ଚିବାକୁ ସାହସ ଜୁଟାଇ ପାରୁନଥିଲା ସେଠି ଏବେ ଠିଆ ହୋଇଛି ସୁରକ୍ଷା ବଳୟର କ୍ୟାମ୍ପ । ନକ୍ସଲ ଜୁଲୁମରୁ ମୁକୁଳିବେ ନିରୀହ ଆଦିବାସୀ

716

କନକ ବ୍ୟୁରୋ: ଦିନେ ଥରହର ହେଉଥିବା ହିଂସା ଗଡରେ ଏବେ ବି.ଏସ୍.ଏଫ୍ କ୍ୟାମ୍ପ । ବର୍ଷ ବର୍ଷ ଧରି ଯୋଜନାର କ୍ୟାମ୍ପକୁ ହେବାକୁ ବିରୋଧ କରି ରକ୍ତମୁଖା ସାଜିଥିଲେ ନକ୍ସଲ । ନିରୀହ ଗ୍ରାମବାସୀଙ୍କୁ ଇନଫର୍ମର ସନ୍ଦେହରେ ଉଠାଇବା ସହ ପ୍ରଜାକୋର୍ଟରେ ଚାଲୁଥିଲା ମୃତ୍ୟୁର ବିଚାର । ସେଠାରେ ମୃତ୍ୟୁଦଣ୍ଡ ପାଉଥିଲେ ନିରୀହ ଆଦିବାସୀ । ତେବେ ମାଓ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲାଗି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନକ୍ସଲ ଗଡ ଟେମୃପାଲି ଠାରେ ନୂତନ ଭାବେ ହୋଇଛି ବି.ଏସ୍.ଏଫ୍ କ୍ୟାମ୍ପ । ୩ ଦିନ ଧରି ହୋଇଥିବା ଏହି କ୍ୟାମ୍ପ ପରେ ଆଶ୍ୱସ୍ତ ଅନୁଭବ କରିଛନ୍ତି ଗ୍ରାମବାସୀ ।

ରକ୍ତମୁଖା ମାଟିରେ ବି.ଏସ୍.ଏଫ୍ କ୍ୟାମ୍ପ । ଦିନେ ପୋଲିସ ଯେଉଁଠି ପହଂଚିବାର ସାହାସ ଜୁଟାଇ ପାରୁନଥିଲା ସେଠାରେ ଠିଆ ହୋଇଛି ସୁରକ୍ଷା ବଳୟ କ୍ୟାମ୍ପ । ଲୋକଙ୍କୁ ସୁରକ୍ଷା ଓ ମାଓବାଦୀଙ୍କ ଗତିବିଧିର ନଜର ରଖିବା ସହ ମାଓ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ୟାପକ ରଣନୀତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୃପାଲି ପଂଚାୟତ ସଦର ଠାରେ ବି.ଏସ୍.ଏଫର ୧୬୦ ବାଟାଲିୟନ ଯବାନମାନଙ୍କୁ ନେଇ କ୍ୟାମ୍ପ ଗଠନ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଉନ୍ନୟନ କାମକୁ ବିରୋଧ କରିବା , ନିରୀହ ଲୋକଙ୍କୁ ଇନଫର୍ମର ଦର୍ଶାଇ ମାଓବାଦୀମାନେ ବାରମ୍ବାର ହତ୍ୟା କରିବା ଭଳି ଘଟଣାକୁ ସମ୍ନାରେ ରଖି ଏହାକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଯେଉଁଠି ମାଓବାଦୀମାନେ ଆଡ୍ଡା କରୁଥିଲେ ସେହି ସ୍ଥାନରେ ବି.ଏସ୍.ଏଫ୍ କ୍ୟାମ୍ପ କରିବା ପରେ ନକ୍ସଲଙ୍କ ଉପଦ୍ରବ ବନ୍ଦ ହୋଇଛି । ଅସୁରକ୍ଷିତ ଗାଁଲୋକେ ଏବେ ଆଶ୍ୱସ୍ତିରେ ସବୁ କାମ କରିପାରୁଛନ୍ତି । ଆଉ ମନରେ ପୂର୍ବରୁ ସଂଚାର ହୋଇଥିବା ଭୟ ଆଗ ଅପେକ୍ଷା ମଧ୍ୟ ବେଶ୍ କମିଯାଇଛି । ସୁରକ୍ଷିତ ମଣୁଛନ୍ତି ଲାଲ କରିଡରର ନକ୍ସଲ ଜୁଲୁମ ସହୁଥିବା ନିରୀହ ଆଦିବାସୀ ।

ହଟିବ ନକ୍ସଲ ଭୟ । ଲୋକଙ୍କ ନିକଟତର ହେବେ ଯବାନ । ନକ୍ସଲଙ୍କ ଅତ୍ୟାଚାରରୁ ମୁକୁଳିବେ ଗ୍ରାମବାସୀ । ଟେମୃପାଲି ପଂଚାୟତ କୁ ଲାଗି ରହିଛି ତୁଳସୀ ପାହାଡ । ମାଓବାଦୀଙ୍କ ଗନ୍ତବ୍ୟସ୍ଥଳ କୁହାଯାଉଥିବା ତୁଳସୀ ପାହାଡ ଟେମୃପାଲି ଠାରୁ ୧୫ କି.ମି ରହିଛି । ତେବେ ଗାଁରେ ବି.ଏସ୍.ଏଫ୍ ଯବାନ ଅବସ୍ଥାପିତ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡା କରାଯାଇଛି । ସୁରକ୍ଷା କୁ ଦୃଷ୍ଟିରେ ରଖି ଖାନତଲାସି କୁ ଜୋରଦାର କରାଯାଉଛି । ମାଓବାଦୀଙ୍କ ଗତିବିଧି ତର୍ଜମା କରିବାକୁ ନିକଟତମ ଗାଁ ଗଣ୍ଡାରେ ପହଁତରା ମାରୁଛନ୍ତି ବି.ଏସ୍.ଏଫ୍ ଯବାନ । ଏପଟେ କ୍ୟାମ୍ପ ହେବା ପରେ ଶାନ୍ତିର ବାତାବରଣ ଗାଁ ରେ ଦେଖିବାକୁ ମିଳିଛି । ଯେଉଁଠି ମାଓବାଦୀଙ୍କ ରାଜୁତିରେ ମୋବାଇଲ ନେଟୱାର୍କ ଭଳି ସେବାର ଉପଲବ୍ଧ ନାହିଁ । ସେଠାରେ କ୍ୟାମ୍ପ ସ୍ଥାପନ କରି ମାଓବାଦୀଙ୍କୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ରହିଛନ୍ତି ଯବାନ ।

ମାଓବାଦୀଙ୍କ ଦବଦବା ସ୍ଥଳରେ ବି.ଏସ୍.ଏଫ୍ କ୍ୟାମ୍ପ କରିବା ପୋଲିସ ପାଇଁ ବଡ ଚ୍ୟାଲେଂଜ ଥିଲା । ତଥାପି ଯୋଜନା କରି କ୍ୟାମ୍ପ ସ୍ଥାପନ କରିବାରେ ସଫଳ ହୋଇଛି ପ୍ରଶାସନ । ଲୋକଙ୍କୁ ସୁରକ୍ଷା ଦେବା ସହ ନକ୍ସଲ ସଂଗଠନକୁ ସମ୍ପୂର୍ଣ୍ଣ ନିପାତ କରାଯିବ ବୋଲି କ୍ୟାମେରା ପଛରେ କହିଛନ୍ତି କ୍ୟାମ୍ପର କମାଣ୍ଡାଣ୍ଟ ।