ଦଶମ ପରୀକ୍ଷା ଫଳ ପାଇଁ ପ୍ରଧାନଶିକ୍ଷକଙ୍କ ଉପରେ ବୋର୍ଡର ଚାପ : ଟାବୁଲେସନ ରେଜିଷ୍ଟାର ଦେଇପାରିଲେନି ସ୍କୁଲ କର୍ତୃପକ୍ଷ

ପିଲାଙ୍କ ଆସେସମେଣ୍ଟ ମାର୍କକୁ ନେଇ ଉପୁଜିଲା ଦ୍ୱନ୍ଦ୍ୱ ; ରାତି ଅଧିଆ ବିଜ୍ଞପ୍ତି ଜାରି କରି ଦିନକରେ ମାର୍କ ମାଗିବା ନିଷ୍ପତିକୁ ଓଷ୍ଟାର ନାପସନ୍ଦ

672

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଧାନଶିକ୍ଷକଙ୍କୁ ପିଲାଙ୍କ ଆସେସମେଣ୍ଟ ମାର୍କ ମାଗିଥିଲେ ବୋର୍ଡ । ସନ୍ଧ୍ୟା ୩ ତାରିଖ ସୁଦ୍ଧା ଦଶମ ପିଲାଙ୍କ ଟେବୁଲେସନ ରେଜିଷ୍ଟାର ମେଣ୍ଟର ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ଦୁଇ ତାରିଖ ମଧ୍ୟ ରାତିରେ ନୋଟିସ ପଠାଇ ୩ ତାରିଖ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା । ମାତ୍ର ଗୋଟିଏ ଦିନର ସମୟ ଦିଆଯାଇଥିବାରୁ ଅଧିକାଂଶ ସ୍କୁଲ କର୍ତୃପକ୍ଷ ଟିଆର ଦାଖଲ କରିପାରି ନାହାନ୍ତି । ଆଗରୁ କୌଣସି ସୂଚନା ଦିଆଯାଇ ହଠାତ୍ ମାର୍କ ଦାଖଲ ପାଇଁ କହିବାରୁ କେଉଁ ଆଧାରରେ ମାର୍କିଂ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ।

ସେପଟେ ରାତି ଅଧିଆ ଟିଆର ମଗାଯିବା ନିଷ୍ପତିକୁ ଓଷ୍ଟା ନାପସନ୍ଦ କରିଛି । ଗତକାଲି ରାତିରେ ଚିଠି ବାହାର କରି ରିପୋର୍ଟ ଦେବାକୁ କହିବା ଠିକ୍‌ ହୋଇନି । ପ୍ରାକ୍ଟିସ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ୬୦ମାର୍କ ପ୍ରଶ୍ନପତ୍ରର ଉତ୍ତର ଦେଇଛନ୍ତି । ପରିଷଦ ପକ୍ଷରୁ ୮୦ମାର୍କର ଉତ୍ତର ମଗା ଯାଇଛି । ଆଉ ମାର୍କ କେଉଁଠୁ ଆସିବ । ଯେଉଁ ରିପୋର୍ଟ ମଗାଯାଇଛି, ସେଥିରେ କୌଣସି ପ୍ରକାର ସ୍ପଷ୍ଟତା ନାହିଁ। ୨୦୨୦ ଫେବ୍ରୁଆରି ୧୭ରେ ନବମ ଶ୍ରେଣୀ ଶେଷ ଦିନର ପରୀକ୍ଷା ହୋଇ ପାରି ନ ଥିଲା । କେଉଁ ଆଧାରରେ ଶିକ୍ଷକମାନେ ପିଲାଙ୍କୁ ମାର୍କ ଦେବେ । ୨୦ ମାର୍କ ଆସେସ୍‌ମେଣ୍ଟ କିଭଳି ହେବ, ତାହାର କୌଣସି ସ୍ପଷ୍ଟତା ନାହିଁ । ୯ମ ଶ୍ରେଣୀରେ ସେଭଳି କିଛି ବି କରାଯାଇ ନାହିଁ । ଏଭଳି ସମୟରେ କେବଳ ପ୍ରଧାନଶିକ୍ଷକ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ସବୁ ଷ୍ଟାଫ୍‌ ବସି ଆଲୋଚନା କରିବା ପରେ ଯାଇ ପିଲାଙ୍କୁ ମାର୍କ ଦେଇପାରିବେ। ୯ ହଜାରରୁ ଅଧିକ ସ୍କୁଲ, ଏକ ଲକ୍ଷ ଶିକ୍ଷକ ଓ ୬ଲକ୍ଷ ପିଲାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଛୁ । ମାର୍କ ଦାଖଲ ଲାଗି ସମୟ ଦେବାକୁ କହିଛୁ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀଙ୍କ ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମାର୍କ ମେଣ୍ଟର୍‌ ସ୍କୁଲରେ ଦାଖଲ କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି । ସ୍କୁଲଗୁଡ଼ିକ ବୋର୍ଡ ଫର୍ମାଟ୍‌ରେ ନିଜସ୍ତରରେ ଟିଆର୍‌ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ । ମେଣ୍ଟର ସ୍କୁଲ ଉକ୍ତ ଫର୍ମାଟ୍‌ରେ ପୂରଣ କରିବା ସହ ତାହାକୁ କେବେ ଦାଖଲ କରିବେ, ସେନେଇ ଖୁବ୍‌ଶୀଘ୍ର କୁହାଯିବ । ଯଦି ସ୍ବାସ୍ଥ୍ୟଗତ କାରଣରୁ କୌଣସି ସ୍ଥାନରେ ପ୍ରଧାନଶିକ୍ଷକ ଅନୁପସ୍ଥିତ ରହିଥା’ନ୍ତି, ସେଭଳି ସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ପୂର୍ଣ୍ଣାଙ୍ଗ ଗାଇଡ୍‌ଲାଇନ୍‌ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ ।

ଶିକ୍ଷାବିତ୍‌ଙ୍କ ମତରେ ମାର୍କ ଦାଖଲ ଲାଗି ୩ଟି ଉପାୟ କରାଯାଇପାରେ । ଦଶମ ଶ୍ରେଣୀର ଚାରୋଟି ଅଭ୍ୟାସମୂଳକ ପରୀକ୍ଷାରୁ ହାରାହାରି ମାର୍କ ନିଆଯାଇ ଫଳ ବାହାରି ପାରିବ । ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷା ମାର୍କ ଓ ଦଶମ ଅଭ୍ୟାସ ପରୀକ୍ଷାର ନମ୍ବର ମିଶାଇ ହାରାହାରି ମାର୍କ ପ୍ରକାଶ କରାଯାଇପା‌ରେ । ନଚେତ୍‌ ଦଶମର ଚାରୋଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇପାରେ ।