କନକ ବ୍ୟୁରୋ: ତସଲାରେ ତାତୁଛି ବିରହୀ ଚା । ପ୍ରେମରେ ପତାରଣା ପାଇଥିବା ପ୍ରେମିକଙ୍କ ପାଇଁ ଟକଟକ ଫୁଟୁଛି ଗରମା ଗରମ୍ ଚା ଓ କଫି । ଯାହାର ମନ ଭାଙ୍ଗିଛି ତା ପାଇଁ ମାଟି କପରେ ଢଳା ହେଉଛି ଚା । ଯିଏ ପ୍ରେମରେ ଧୋକ୍କା ଖାଇଛି, ତାଙ୍କ ପାଇଁ ଫ୍ରିରେ ମିଳୁଛି କଫି । ଭାଲେଣ୍ଟାଇନ୍ସ ଡେରେ ପ୍ରେମରେ ବିଫଳ ହୋଇଥିବା ଯୁବକଙ୍କୁ ମାଗଣାରେ ଚା ପିଆଇ ଏବେ ଚର୍ଚ୍ଚାରେ ଗ୍ରାଜୁଏଟ ଚା’ବାଲା

Advertisment

ନାଁ- ସୁନୀଲ କନ୍ଦପାଣି, କିନ୍ତୁ ଲୋକେ ତାଙ୍କୁ ବିଏସସି ଚାଏ ବାଲା ନାଁରେ ଜାଣନ୍ତି । ରାୟଗଡା ରୟତ କଲୋନିରେ ରହି ଆସୁଥିବା ସୁନୀଲ ଦୁଇ ବର୍ଷ ହେବ ଭିୟ୍ୟୁ ପଏଣ୍ଟରେ ଚା’ ଦୋକାନ କରି ନିଜ ପଢା ଖର୍ଚ୍ଚ ସହ ପରିବାର ଚଳାଇ ଆସୁଛନ୍ତି । ହେଲେ ଗତ ଭାଲେଣ୍ଟାଇନ୍ସ ଡେରେ ବିଫଳ ପ୍ରେମିକ ଏବଂ ଆନିଭର୍ସରି ପାଳୁଥିବା ଯୋଡିଙ୍କ ପାଇଁ ମାଗଣା ଚା ପିଆଇ ଚର୍ଚ୍ଚାରେ ରହିଛନ୍ତି । ପ୍ରେମରେ ବିଫଳ ହେବା ପରେ ଅନେକ ଯୁବପିଢି ନିଶାର ବାଟ ଆପଣେଇ ନିଅନ୍ତି । ମଦ୍ୟପାନ ଏବଂ ବିଭିନ୍ନ ମାଦକଦ୍ରବ୍ୟ ଖାଇ ନିଜ ଜୀବନ ସହ ନିଜ ପରିବାରକୁ ଦୁଃଖ ଦେଇଥାନ୍ତି । ଯେଉଁଥିପାଇଁ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ । ତେଣୁ ଏପରିସ୍ଥଳରେ ମଦ ବଦଳରେ ଉକ୍ତ ଯୁବକମାନଙ୍କୁ ଚା କିମ୍ବା କଫି ଅଫର ଦେଇଛନ୍ତି ସୁନୀଲ । ଯାହା ସେମାନଙ୍କ ଉଦାସ ମନକୁ ସତେଜ କରିବ ।

ତେବେ ୨୦୧୮ରେ ବଟନି ଅନର୍ସରେ ବିଏସସି ପାସ୍ କରିଥିବା ସୁନୀଲ ଏବେ ଫାର୍ମାସି ଟ୍ରେନିଂ ନେଉଛନ୍ତି । କରୋନା କାଳରେ କରିଥିବା ଚା ଦୋକାନରେ ଏବେ ସେ ଭଲ ରୋଜଗାର କରୁଛନ୍ତି । ତାଙ୍କ କହିବା କଥା ଅନ୍ୟ ବେଆଇନ ମାଦକ ଦ୍ରବ୍ୟ ଯଦି ସେ ବିକ୍ରି କରୁଥାନ୍ତେ ତେବେ ଲାଜ ଲାଗିଥାନ୍ତା ମାତ୍ର ସେ ସତ ମାର୍ଗରେ ପରିଶ୍ରମ କରୁଛନ୍ତି । ଚାକିରି ପଛରେ ନଧାଇଁ ନିଜସ୍ୱ କର୍ମସଂସ୍ଥା ଖୋଲିଥିବାରୁ ସେ ଗର୍ବିତ । ଆଉ ସୁନୀଲଙ୍କ ସୁଆଦିଆ ଚା ପିଇବାକୁ ବି ଲୋକଙ୍କ ଧାଡି ଲାଗୁଛି ।