ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରୁଛନ୍ତି ‘ବୃକ୍ଷବନ୍ଧୁ ବିଶ୍ୱନାଥ’। ସୃଷ୍ଟି କରିଚାଲିଛନ୍ତି ଜଙ୍ଗଲ ।

295

କନକ ବ୍ୟୁରୋ : ସାରା ବିଶ୍ୱ ବର୍ତ୍ତମାନ ବିଷମ ପରିସ୍ଥିତି ଦେଇ ଗତି କରୁଛି । ପ୍ରତ୍ୟେକ ଦିନ ଅନେକ ପରିବର୍ତ୍ତନ ଘଟିଚାଲିଛି । କେତେବେଳେ ତାପମାତ୍ରା ବୃଦ୍ଧି ତ କେତେବେଳେ ସୁନାମୀ, ଭୂମିକମ୍ପର ମଧ୍ୟ ସାମ୍ନାକରୁଛି ମାନବ ସମାଜ । ଏଥିପାଇଁ ଆମେ ନିଜେହିଁ ଦାୟୀ । ତେବେ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ହେଉଛି ଗଛ ସଂଖ୍ୟା ହ୍ରାସ । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ଯୋଗୁ ଅଙ୍ଗାରକାମ୍ଳର ମାତ୍ରା ବଢିବା ସହ ତାପମାତ୍ରା ବୃଦ୍ଧି ପାଉଛି ।

ତେବେ ଆଜି ଆମେ ଆପଣଙ୍କୁ ଜଣେ ବ୍ୟକ୍ତିଙ୍କ ସହ ପରିଚୟ କରାଇବାକୁ ଚାହୁଁଛୁ ଯିଏ ଗଛ ଲଗାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପେଶାରେ ସେ ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ଗଛ ଲଗାଇବା । ତେବେ ସେ କେବଳ ଯେ ଗଛ ଲଗାଇ ସୀମିତ ରୁହନ୍ତି ତାହା ନୁହେଁ, ତାର ରକ୍ଷଣାବେକ୍ଷଣ ସହ ସବୁପ୍ରକାର ଯତ୍ନ ନେଇ ଗଛକୁ ବଢିବାରେ ଲାଗିପଡିଛନ୍ତି । ଏ ବ୍ୟକ୍ତି ଙ୍କ ନାଁ ହେଉଛି ବିଶ୍ୱନାଥ ପ୍ରଧାନ । ପୁରୀ ଜିଲ୍ଲା ପିପିଲି ବ୍ଲକ ପୋପରଙ୍ଗା ଉଚ୍ଚ ବିଦ୍ୟାଳୟରେ ପିଅନ ଭାବେ କାମ କରନ୍ତି ବିଶ୍ୱନାଥ । ତେବେ ତାଙ୍କର ଏହି କାମ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳର ବୃକ୍ଷବନ୍ଧୁ ଭାବେ ପରିଚୟ ମିଳିଛି । ସକାଳୁ ଉଠିବା ପରେ ଆରମ୍ଭ ହୋଇଯାଏ ତାଙ୍କର କାମ । ଗାଁରେ ଥିବା ବିଭିନ୍ନ ବଡ ବଡ ଗଛ ତଳକୁ ଯାଏ ତଳେ ପଡିଥିବା ମଞ୍ଜି ସେ ସଂଗ୍ରହ କରିଥାନ୍ତି । ଏହା ପରେ ପଲିଥିନରେ ଏହାର ପ୍ରକ୍ରିୟାକରଣ କରି ଚାରା ପ୍ରସ୍ତୁତ କରିଥାନ୍ତି । ଆଉ ଚାରା ବଢିବା ପରେ ସେ ଏହାକୁ ଗାଁ ରାସ୍ତା, ଜାତୀୟ ରାଜପଥ କଡ ସହ ବିଭିନ୍ନ ସ୍ଥାନରେ ଲଗାଇଥାନ୍ତି । ନିଜ ଗାଡିରେ ଏଜାଗାରୁ ସେ ଜାଗକୁ ଯାଇ ସେ ଏହି କାମ ଜାରି ରଖିଛନ୍ତି ।

ତେବେ ବିଶ୍ୱନାଥ ଗଛ ଲଗାଇବା ପରେ ସ୍କୁଲ ଯାଇ ସେଠାରେ ତାଙ୍କର କାର୍ଯ୍ୟକରିଥାନ୍ତି । ସ୍କୁଲରେ ପିଅନ ଭାବେ କାମ କରୁଥିଲେ ବି ସ୍କୁଲର ବିଭିନ୍ନ ସ୍ଥାନରେ କେଉଁଭଳି ପରିବେଶକୁ ସବୁଜ ସୁନ୍ଦର କରାଯାଇପାରିବ ସେ ନେଇ ମଧ୍ୟ ଉଦ୍ୟମ ଜାରିରଖିଛନ୍ତି । ସ୍କୁଲର ସହକର୍ମୀ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରିଛନ୍ତି । ଛାତ୍ରଛାତ୍ରୀ ବି ଏଥିରେ ତାଙ୍କୁ ସହଯୋଗ କରିଥାନ୍ତି । ବିଶ୍ୱନାଥ କେବଳ ପିପିଲି କିମ୍ବା ପୁରୀରେ ସିମୀତ ନରହି ଖୋର୍ଦ୍ଧା କଟକ, ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିଛନ୍ତି । ଗଛ ପ୍ରତିଲୋକଙ୍କ ଭାବନା ଆଣିବା ପାଇଁ ସେ ନାଲିଶଙ୍ଖା ଏବଂ କପଡା ମଧ୍ୟ ବାନ୍ଧିଥାନ୍ତି । ତାଙ୍କର ଏଭଳି କାମକୁ ସ୍ଥାନୀୟ ସରପଞ୍ଚଠାରୁ ନେଇ ଜନପ୍ରତିନିଧି ପ୍ରଶଂସା କରିଛନ୍ତି ।

ବିଶ୍ୱନାଥ ନିଜ ପରିବେଶ ତଥା ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ଗଛ ଲଗାଇଚାଲିଛନ୍ତି । ତାଙ୍କର ଏଭଳି କାମକୁ ମଧ୍ୟ ଲୋକେ ପ୍ରଶଂସା କରି ଏଥିରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଆସନ୍ତୁ ଆପଣ ବି ଗଛ ଲଗାଇବା ଅଭିଯାନରେ ସାମିଲ ହୋଇ ଜଙ୍ଗଲ ସୃଷ୍ଟି କରନ୍ତୁ । ଏହା କରିବା ଦ୍ୱାରା ଆମ ପୂଥିବୀ ପୁଣି ଥରେ ସବୁଜ ସୁନ୍ଦର ହୋଇପାରିବ । ଆସନ୍ତୁ ଆମପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।