କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅଭିଯୁକ୍ତ ବିଆରଏସ୍ ନେତା କେ.କବିତାଙ୍କୁ ଆଜି ସିବିଆଇ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହି କ୍ରମରେ କୋର୍ଟରେ କବିତାଙ୍କ ବିରୋଧରେ ତାଙ୍କ କଳା କାରନାମାଙ୍କର ଦୀର୍ଘ ତାଲିକା ଦାଖଲ କରିଛି ସିବିଆଇ । ଏହା ସହ ଜେରା ପଚରାଉଚୁରା ପାଇଁ କବିତାଙ୍କୁ କୋର୍ଟରୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଅପିଲ କରିଛି ।
ସିବିଆଇ କୋର୍ଟଙ୍କୁ କହିବା ଅନୁସାରେ,୧୦୦ କୋଟି ଟଙ୍କା ଡିଲ୍ ମାମଲାରେ କବିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସିବିଆଇ କେବଳ ହ୍ୱାଟ୍ସଆପ୍ ଚାଟ୍ ଏବଂ ଦସ୍ତାବିଜ ନୁହେଁ ବରଂ ହୋଟେଲ ତାଜରେ ହୋଇଥିବା ବୈଠକ ବିଷୟରେ ମଧ୍ୟ ଉଲ୍ଲେଖ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ତିହାର ଜେଲରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା କବିତାଙ୍କୁ ଆଜି ତିହାର ଜେଲରୁ କୋର୍ଟକୁ ଅଣାଯାଇଥିଲା
ପକ୍ଷ ରଖିବା ବେଳେ ସିବିଆଇ କୋର୍ଟଙ୍କୁ ଜଣାଇଥିଲା ଯେ, ବୁଚି ବାବୁଙ୍କ ହ୍ୱାଟ୍ସଆପ୍ ଚାଟ୍ ଏବଂ ଜମି କାରବାର କାଗଜପତ୍ର ବିଷୟରେ କେ କବିତାଙ୍କୁ ପଚରାଉଚରା କରାଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟରେ ସିବିଆଇ କହିଛି ଯେ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେବାରେ କବିତାଙ୍କର ବଡ଼ ଭୂମିକା ଥିଲା। ବିଆରଏସ୍ ନେତା କେ କବିତା ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଜଣେ ବଡ଼ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଏବଂ କେଜ୍ରିୱାଲ ତାଙ୍କୁ ଅବକାରୀ ନୀତି ମାଧ୍ୟମରେ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ହୋଟେଲ ତାଜରେ କାହିଁକି ବୈଠକ ଅନୁଷ୍ଠିତ ହେଲା?
ସିବିଆଇ କହିଛି ,ଏହି ମାମଲାରେ ଜଡ଼ିତ ଅନେକ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି। ହୋଟେଲ ତାଜରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ-ମେ ୨୦୨୧ରେ ଯେତେବେଳେ ଅବକାରୀ ନୀତି ପ୍ରଣୟନ ପ୍ରକ୍ରିୟା ଚାଲିଥିଲା, ସେତେବେଳେ ଅରୁଣ ପିଲ୍ଲାଇ, ବୁଚି ବାବୁ, ବୋଇଁପଲ୍ଲୀ ସେମାନେ ସମସ୍ତେ ଦିଲ୍ଲୀର ହୋଟେଲ ତାଜରେ ରହୁଥିଲେ। କବିତା ହାଇଦ୍ରାବାଦରେ ବ୍ୟବସାୟୀଙ୍କୁ ଭେଟିଥିଲେ। କେବଳ ଏତିକି ନୁହେଁ ବିଜୟ ନାୟାର କେ କବିତାଙ୍କ ସହ ଯୋଗାଯୋଗ କରିଥିଲେ । କବିତା ବ୍ୟବସାୟୀଙ୍କ ସହ ୧୦୦ କୋଟି ଟଙ୍କାର ଡିଲ କରିଥିଲେ । ଏହି ଟଙ୍କା ବ୍ୟବସ୍ଥା କରିବାରେ କବିତାଙ୍କ ବଡ଼ ଭୂମିକା ଥିଲା ବୋଲି ସିବିଆଇ ଦୃଢୋକ୍ତି ରଖିଛି ।