ବିଏମସି କର୍ମଚାରୀଙ୍କ ବ୍ରାଉନ ସୁଗାର ବେପାର । ବିକ୍ରି କରୁଥିବା ବେଳେ ରେଡହ୍ୟାଣ୍ଡ ଧରିଲା ଲିଙ୍ଗରାଜ ଥାନା ପୁଲିସ । ୮୦ ହଜାର ଟଙ୍କା ବ୍ରାଉନସୁଗାର ସହ, ୪୨ ହଜାର ଟଙ୍କା, ୪୦ ଗ୍ରାମର ସୁନା ଗହଣା ଜବତ

367

କନକ ବ୍ୟୁରୋ : ରାଜଧାନୀରେ ଛାଇ ହୋଇଗଲେଣି ଧଳା ଜହର ବେପାରୀ । କେବେ ବସ୍ତିରୁ ତ କେବେ ବସ୍ତାରୁ ଜବତ ହେଉଛି ଧଳା ଜହର। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀର ରାଜରାସ୍ତାରେ ଖୋଲା ଖୋଲି ଧଳା ଜହର କାରବାର କରୁଥିବା ଜଣେ ବିଏମସି କର୍ମଚାରୀଙ୍କୁ ଆଜି ଗିରଫ୍ କରିଛି କମିଶନରେଟ୍ ପୋଲିସ ।
କମିଶନରେଟ୍ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିଏମସି କର୍ମଚାରୀଙ୍କ ଘରେ ଚଢାଉ କରିବା ପରେ ତାଙ୍କ ଠାରୁ ୮୦ ହଜାର ଟଙ୍କାର ବ୍ରାଉନ ସୁଗାର ସହ ନଗଦ ୪୨ ହଜାର ଟଙ୍କା ଓ ୪୦ ଗ୍ରାମର ସୁନା ଗହଣା ଜବତ କରିଛି । ଏନେଇ କମିଶନରେଟ୍ ପୋଲିସ ଚୋରା ବେପାରୀକୁ ଗିରଫ୍ କରିବା ସହ ଏହି କାରବାରରେ ଅନ୍ୟ କାହାର ସଂପୃକ୍ତି ରହିଛି ସେ ନେଇ ତନାଘନା ଜାରୀ ରଖିଛି ।
ରାଜ୍ୟରେ ଏବେ ଏହି ବ୍ରାଉନ ସୁଗାର ବା ଧଳ ଜହରର ପେଣ୍ଠ ସ୍ଥଳି ପାଲଟିଛି ରାଜଧାନୀ । ବସ୍ତ ହେଉ କି ବଡ ବଡ ହୋଟେଲ ସବୁଠି ଚାଲିଛି ଧଳା ଜହରର କାରବାର । ଆଉ ଏଥିରେ ଛନ୍ଦି ହୋଇଯାଉଛି ଯୁବ ସମାଜ । ଖାଲି ପୁରୁଷ ନୁହେଁ ଏହି ନିଶାରେ ଝୁମୁଛନ୍ତି ରାଜଧାନୀର ମହିଳା ଠାରୁ ଆରମ୍ଭ କରି ଛାତ୍ରୀ ମାନେ ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରା ବେପାରୀ ମାନେ ଏହି ଧଳା ଜହର ଆଣି ଅବାଧରେ ଭୁବନେଶ୍ୱରରେ କାରବାର ଚଳାଇଛନ୍ତି । ଏନେଇ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ, କମିଶନରେଟ୍ ପୋଲିସ, ଭିଜିଲାନ୍ସ ଦୈନିକ ଚଢାଉ ଜାରି ରଖିଥିଲେ ବି ଚୋରା ନିଶା ବେପାରୀଙ୍କୁ ରୋକିବାରେ ସଫଳ ହୋଇପାରି ନାହିଁ ।
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଏନସିବି ଖୋଳତାଡ କରିବା ପରେ ବଲିଉଡକୁ ଭୁବନେଶ୍ୱରରୁ ଗଂଜେଇ ସପ୍ଲାଏ ହେଉଥିବା କଥା ପଦାକୁ ଆସିବା ପରେ ରାଜ୍ୟରେ ନିଶା ଚୋରା କାରବାରରେ ଯେ ଏକ ବଡ ର‌୍ୟାକେଟ୍ ର ସଂପୃକ୍ତି ରହିଛି ତାହା ସ୍ପଷ୍ଟ ହୋଇଛି ।