ଧଳାଜହର କାରବାରର ପର୍ଦ୍ଦାଫାସ କଲା ପୋଲିସ । ଜବତ ହେଲା ୪୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ।

150

କନକ ବ୍ୟୁରୋ : ବାଲେଶ୍ୱରର ଜଳେଶ୍ୱର ପୁଲିସକୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ସେକବାଡ ଗ୍ରାମରେ ପୁଲିସ ଅଚାନକ ଚଢ଼ାଉ କରି ଏକ ସ୍କୁଟିରୁ ଚାରି ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଛି । ଗିରଫମାନେ ହେଲେ ପଶ୍ଚିମବଙ୍ଗର ଏଗ୍ରା ଅଞ୍ଚଳର ରାମସ୍ବରୁପ ସିଂଙ୍କ ପୁତ୍ର ଦିନ, ତପନ ମାଇତିଙ୍କ ପୁତ୍ର ଅଭିକ ଓ ଜଳେଶ୍ଵର ଥାନା ସେକବାଡ ଗ୍ରାମର ସାଦ୍ଦିକ ଅହମ୍ମଦ । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି  ।

ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୭ ହଜାର ଟଙ୍କା ଓ ୪ ଟି ମୋବାଇଲ ସହ ଏକ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ପଶ୍ଚିମବଙ୍ଗର ଖଡ଼ଗପୁରରୁ ଦୀଘା ରାସ୍ତାରେ ଜଳେଶ୍ଵରକୁ ଏହି ବ୍ରାଉନସୁଗାର ଅତି ସତର୍କତାର ସହ ଅଣାଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ଜଳେଶ୍ଵର ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

ସେହିପରି କୁଖ୍ୟାତ ନିଶା ବେପାରୀ ତଥା ଏସଟିଏଫର ମୋଷ୍ଟ ଓ୍ବାଣ୍ଟେଡ କୁହାଯାଉଥିବା ଟାକଲୁ ରାଜା ଓରଫ ସେକ ସମିରୁଦ୍ଦିନର ଶ୍ୱଶୁର ଘରେ ଆଜି ଏସଟିଏଫର ଏକ ୩ ଜଣିଆ ଟିମ ଚଢାଉ କରିଛି । ଜଣେ ମହିଳା ଡିଏସପିଙ୍କ ନେତୃତ୍ବରେ ଏହି ୩ ଜଣିଆ ଟିମ୍ ପୂର୍ବାହ୍ନ ୧୦ ଟା ୪୫ ମିନିଟରେ ଟାକଲୁର ଶ୍ୱଶୁର କୁହାଯାଉଥିବା ରାଜପୁର ଗାଁର ସେକ ରିଆସତ ମୁଲ୍ଲାଙ୍କ ଘରେ ଚଢାଉ ଆରମ୍ଭ କରିଥିଲା । ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଚଢାଉ ସମୟରେ ପରିବାରର ସଦସ୍ୟ ମାନଙ୍କୁ ଜେରା କରାଯାଇଥିବା କୁହାଯାଇଛି । ଜେରା ସମୟରେ ଏସଟିଏଫ ଟାକଲୁ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁଁ ଚେଷ୍ଟା କରିଥିଲା ।