ବସ୍ତା ଥାନା ବିଦ୍ୟାଧରପୁର ଅଞ୍ଚଳରେ ଚଢ଼ାଉ : ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ମହିଳାଙ୍କ ସମେତ ୨ ବେପାରୀ ଗିରଫ

59

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ଥାନା ନିକଟ ବିଦ୍ୟାଧରପୁର ଗାଁରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ଓଜନ ୨କିଲୋ ହେବ । ଆଜି ଭୋର ସକାଳୁ କୌଣସି ସୁତ୍ରରୁ ଖବର ପାଇ ୩୫ ଜଣିଆ ସ୍ୱତନ୍ତ୍ର ଟିମ୍ ଚଢଉ କରି ବ୍ରାଉନସୁଗାର ସହ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଜଣେ ମହିଳାଙ୍କ ସମେତ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । କଟକ ଅବକାରୀ ଗୋଇନ୍ଦା ବିଭାଗର ସ୍ପେଶାଲ ସ୍କ୍ୱାର୍ଡ, ବସ୍ତା ଥାନା ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ ପୁଲିସ ଗାଡ଼ିର କାଚ ଭାଙ୍ଗି ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ପରିବାର ଲୋକେ ଛଡ଼ାଇ ନେଇଥିବାର ଖବର ମିଳିଛି । କିଛି ସମୟ ପାଇଁ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ଆସିଥିଲେ। ସେ ସାଙ୍ଗରେ ବ୍ରାଉନସୁଗାର ଆଣିଥିଲେ ବୋଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ, ଜଳେଶ୍ୱର ଅବକାରୀ ଓ ବସ୍ତା ଅବକାରୀ ଆଜି ସକାଳ ସମୟରେ ସଲାଉଦିନଙ୍କ ଦୁଇ ପୁଅଙ୍କ ଘରେ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ନୁରଜାହାଁ ବିବିଙ୍କ ପାଖରୁ ବିପୁଳ ପରିମାଣରେ ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରାଯିବା ସହିତ ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଥିଲା ବେଳେ ଘଟଣା ସ୍ଥଳରେ ପୁଲିସ ଅବକାରୀ ସହିତ ପରିବାର ପକ୍ଷରେ କିଛି ସମୟପାଇଁ ହାତାହାତି ହୋଇଥିଲା । ଶେଷରେ ପରିବାର ପକ୍ଷରୁ ପୁଲିସ ଗାଡ଼ି କାଚ ଭାଙ୍ଗି ଶେକ୍ ସାଲାଉଦିନଙ୍କ ପୁଅକୁ ଛଡ଼ାଇ ନେଇ ଫେରାର କରାଇ ଦେଇଥିଲେ । ଜଣେ ମହିଳା ଓ ଜଣେ ଯୁବକ ଅଟକ ଥିଲା ବେଳେ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ସହିତ ୩ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ନୁରଜାହାଁ ବିବି ଏବଂ ଶେଖ୍ ଆସିଦୁଲଙ୍କୁ ଅଟକ ରଖାଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।