ଧଳା ଜହରର ଆଡ୍ଡା ପାଲଟିଛି ସରକାରୀ କ୍ୱାର୍ଟର୍ସ: ଭୁବନେଶ୍ୱରରେ ସରକାରୀ କ୍ୱାଟରରେ ଚାଲିଥିଲା ବ୍ରାଉନସୁଗାର କାରବାର

426

କନକ ବ୍ୟୁରୋ: ଭୁବନେଶ୍ୱର ପାଲଟିଛି ଡ୍ରଗ୍ସ ହବ୍ । ସରକାରୀ କ୍ୱାର୍ଟରକୁ ଢାଲ କରି କାରବାର ହେଉଛି କୋଟି କୋଟି ଟଙ୍କାର ଡ୍ରଗ୍ସ । ଏ କଥା ସେତେବଳେ ପଦାକୁ ଆସିଛି ଯେତେବେଳେ ୟୁନିଟ-୮ସ୍ଥିତ ଏକ ସରକାରୀ କ୍ୱାର୍ଟର ଭିତରେ ଡିଲ ବେଳେ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଅଭିଯୁକ୍ତକୁ ମାଡିବସିଛି ସ୍ପେଶାଲ ଟାସ୍କ ଫୋର୍ସ । ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳର ଚିତରଞ୍ଜନ ସାହୁ । ବ୍ରାଉନସୁଗାର କାରବାର କରିବା ପାଇଁ ସରକାରୀ କ୍ୱାର୍ଟରକୁ ଭଡାରେ ନେଇଥିଲେ ଚିତରଂଜନ । ଲୋକଙ୍କ ଆଗରେ ନୀରିହ ହେବାର ଅଭିନୟ କରିବା ପାଇଁ ଏକ ଗ୍ୟାରେଜ ମଧ୍ୟ କରିଥିଲେ । ଗିରଫଦାରୀ ପରେ ଚିତରଂଜନଙ୍କ ବାଲେଶ୍ୱରର ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ଏସଟିଏଫ ଜାଣିବାକୁ ପାଇଛି ।

ସରକାରୀ ବାବୁଙ୍କ ପାଇଁ ସରକାର ଯୋଗାଉଦେଉଛନ୍ତି କ୍ୱାର୍ଟର । କିନ୍ତୁ ବାବୁମାନେ କ୍ୱାର୍ଟରକୁ ଭଡାଟିଆଙ୍କ ହାତରେ ଟେକିଦେଇ ଆରାମରେ ନିଜ ଘରେ ରହୁଛନ୍ତି । ଟଙ୍କା ଲୋଭରେ କ୍ୱାର୍ଟରକୁ ଭଡା ଲଗାଇଦେଇ ସେଠାରେ କଣ ସବୁ ଘଟୁଛି ତା ଉପରେ ନଜର ଦେଉନାହାନ୍ତି । ଲୋକମାନେ ବି ବେଶ ଅଧିକ ଟଙ୍କାର ଲୋଭ ଦେଖାଇ ସରକାରୀ କ୍ୱାର୍ଟରରେ ଆଡ୍ଡା ଜମାଉଛନ୍ତି । ଆଉ ସେଠାରେ ରହି ସରକାରୀ କ୍ୱାର୍ଟରକୁ ଢାଲ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଡ୍ରଗ୍ସ କାରବାର କରୁଛନ୍ତି ।

ଓଡିଶାକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ୨୦୨୦ ମସିହାରୁ ଏସଟିଏଫ ଆରମ୍ଭ କରିଛି ଅପରେସନ କ୍ଲିନ । ବର୍ତମାନ ସୁଦ୍ଧା ୭୦ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ।