ବ୍ରାଉନସୁଗାର ଜାଲରେ ଛନ୍ଦି ହୋଇଗଲାଣି ଭୁବନେଶ୍ୱର । ୩୫ ଲକ୍ଷ ଟଙ୍କା ନଗଦ ଓ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା କମିଶନରେଟ ପୁଲିସ । 

ବାଲେଶ୍ୱରରୁ ଆଣି ରାଜଧାନୀରେ ଚାଲିଥିଲା ବିଷର ବିକ୍ରି

132

କନକ ବ୍ୟୁରୋ: ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳାଙ୍କ ଘର ଭିତରୁ ୫୫୦ ଗ୍ରାମର ବ୍ରାଉନସୁଗାର ଓ  ନଗର ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ଘଟଣା ପୁଣି ପ୍ରମାଣିତ କରିଛି ରାଜଧାନୀରେ ବେଧଡକ ଭାବେ ବଢିଚାଲିଛି ନିଶା କାରବାର ।  କାହାକୁ ଯେମିତି କୌଣସି ସୁରାକ ନ ମିଳେ  ତାକୁ ଆଧାର କରି ଏକ ଭଡାଘରେ ଚାଲିଥିଲା ଧଳାଜହର କାରବାର । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ଏବଂ ଏହି ଘଟଣାରେ ପାଖାପାଖି କୋଟିଏ ଟଙ୍କାର କାରବାରର ପର୍ଦ୍ଦାଫାସ କରାଯାଇଛି ।

ଧଳାଜହର କାରବାରରେ ଜଣେ ମହିଳାଙ୍କ ସମେତ ୨ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛନ୍ତି  ଓ ଅନ୍ୟଜଣେ ଫେରାର ହୋଇଯାଇଛି । ଘଟଣାରେ ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ତେବେ ବଡ ପ୍ରଶ୍ନ ହେଲା,  କେଉଁଠୁ ଆସୁଥିଲା ଏହି ବ୍ରାଉନସୁଗାର ? ଏହା ପଛରେ କାମ କରୁଛି କି ଏକ ବଡ ର୍ୟାକେଟ ?  ଏହାର ମୁଖ୍ୟ କିଙ୍ଗପିନ କିଏ ? ପୁଳା ପୁଳା ଟଙ୍କା ଓ ଅଧ କେଜି ବ୍ରାଉନ ସୁଗାର କାରବାର ପଛରେ ବଡ ଷଡଯନ୍ତ୍ର ଥିଲା କି ? ତେବେ କେଶୁରାରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ ହୋଇଥିବାରୁ ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୁଲିସ ।

କେବଳ ଏତିିକି ନୁହେଁ, କମିଶନରେଟ ପୁଲିସର ଚଢାଉ ବେଳେ ଜଣେ ନିଶାବେପାରୀ ଟଏଲେଟରେ ୩ରୁ ୪ କେଜି ବ୍ରାଉନସୁଗାର ନଷ୍ଟ ବି କରିଦେଇଛନ୍ତି ।  ଗତ ୪ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ୫ କେଜି ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇସାରିଛି । ମୁଖ୍ୟତଃ ବେକାର ଯୁବକ, ଶ୍ରମିକ ଶ୍ରେଣୀ ଓ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରି ଧଳାଜହରର ଏହିଜାଲ ବିଛାଯାଇଛି । ଯେଉଁଥିରେ ଚାଲିଛି କୋଟି କୋଟି ଟଙ୍କାର କାରବାର ।