ବାଲେଶ୍ୱରରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ୬ମାସ ମଧ୍ୟରେ ୨ କିଲୋ ୩୩୫ ଗ୍ରାମର ବ୍ରାଉନ ସୁଗାର ଜବତ ସହ ଗିରଫ ହେଲେଣି ୨୬ଜଣ

ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛନ୍ତି କୋଟି କୋଟି ଟଙ୍କାର ଧଳା ଜହର

77

କନକ ବ୍ୟୁରୋ: ବାଲେଶ୍ୱର ଜଳେଶ୍ୱରରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ଗତ ୬ମାସ ମଧ୍ୟରେ ୨ କିଲୋ ୩୩୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୨୬ଜଣ ଗିରଫ ହୋଇସାରିଲେଣି । ପ୍ରତ୍ୟେକ ଦିନ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର କାରବାର ହେଉଛି । ବଲେଶ୍ୱରରୁ ବାଂଲାଦେଶ ଯାଏଁ ଲମ୍ବିଛି ଏହି ବ୍ରାଉନ ସୁଗାର କାରବାରର ଚେର । ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନକୁ ଖାତିର ନକରି ଏଠାରେ ବେଧଡକ ଭାବେ ଧଳା ଜହର କାରବାର କରୁଛନ୍ତି ମାଫିଆ ।

Image Courtesy – googleusercontent.com

ବିଶେଷ କରି ମାଫିଆମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବପୀଢି । ବାଲେଶ୍ୱରର କୁଖ୍ୟାତ ଡ୍ରଗସ ମାଫିଆ ସେକ ରାଜା ଗିରଫ ହେବା ସହ ଏହି କାମରେ ସଂପୃକ୍ତ ଥିବା ତାର ଅନ୍ୟ ସମ୍ପର୍କରୀୟଙ୍କୁ ମଧ୍ୟ ଗିରଫ କରାଯାଇସାରିଛି । କିନ୍ତୁ ଧଳା ଜହର କାରବାର ଥମିବାର ନାଁ ନେଉନାହିଁ । ସୂଚନା ଅନୁଯାୟୀ ମାଫିଆମାନେ ଧଳା ଜହରକୁ ବାଂଲାଦେଶରୁ ଲାଲଗୋଲ ଚେକଗେଟ ଦେଇ ପଶ୍ଚିମବଙ୍ଗ ମୁର୍ସିଦାବାଦକୁ ଆଣିଥାନ୍ତି । ଆଉ ସେଠାରୁ ଖଡଗପୁର,ଦୀଘା, ଦେଇ ବାଲେଶ୍ୱର ଓ ଜଳେଶ୍ୱରରେ ଏହି କାରବାର କରିଥାନ୍ତି । ଦିନକୁ ଦିନ ଏହି କାରବାର ବଢୁଥିବାବେଳେ ଜଳେଶ୍ୱରଠାରେ ଏକ କ୍ରାଇମବ୍ରାଂଚ କାର୍ଯ୍ୟାଳୟ ଖୋଲାଯିବାକୁ ସାଧାରଣରେ ଦାବି ହୋଇଛି ।