ମାଛଗାଡିରେ ଆସୁଥିଲା ଧଳାଜହର । ଜଳେଶ୍ୱରରୁ ଆସୁଥିଲା, ଭୁବନେଶ୍ୱରରେ ବିକ୍ରି ହେଉଥିଲା । ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ ।

128

କନକ ବ୍ୟୁରୋ : ମାଛ ବେପାର ଆଳରେ ବ୍ରାଉନସୁଗାର କାରବାର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ସୋମବାର ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବୋଲେରୋ ୫୮୨ ଗ୍ରାମର ବ୍ରାଉନସୁଗାର, ୧୯୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ଗାଡ଼ି ଚାଳକ ମଦନ କୁମାର ବେହେରା ଓ ବେପାରୀ ଶେଖ୍ ମଙ୍ଗଲୁ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି, ମଦନ ଓ ମଙ୍ଗଲୁ ନିୟମିତ ଜଳେଶ୍ବରରୁ ମାଛ ଆଣି ଭୁବନେଶ୍ୱରରେ ବିକ୍ରି କରନ୍ତି। ସପ୍ତାହକୁ ପ୍ରାୟ ତିନିଥର ମାଛ ଆଣନ୍ତି। ବ୍ରାଉନସୁଗାର ହବ୍ ଜଳେଶ୍ୱରରୁ ଆସିଲା ବେଳେ ସାଙ୍ଗରେ ଧଳାଜହର ମଧ୍ୟ ଆଣନ୍ତି। ମାଛ ବିକ୍ରି ଆଳରେ ସେମାନେ ଭୁବନେଶ୍ୱରରେ ନିଶା ବେପାରୀଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲେ। ଆଜି ସକାଳେ ଖବର ପାଇ କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ଓ ମଞ୍ଚେଶ୍ୱର ଥାନାର ମିଳିତ ଟିମ୍ ଚଢ଼ଉ କରି ଏହି ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବ୍ରାଉନସୁଗାର ଜବତ କରିଛି। ମଞ୍ଚେଶ୍ୱର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଗିରଫ ଦୁଇଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ବ୍ରାଉନସୁଗାର କାରବାର କରୁଥିବା ଖବର କ୍ୟୁଏଟି ପାଖରେ ପହଞ୍ଚିଥିଲା। ଗତ କିଛି ଦିନ ଧରି କ୍ୟୁଏଟି ଏମାନଙ୍କ ଉପରେ ନଜର ରଖିଥିଲା। ଗ୍ରାହକ ସାଜି ଯୋଗାଯୋଗ ଆରମ୍ଭ କରିଥିଲା। ଏହା ପରେ ଆରମ୍ଭ ହୋଇଥିଲା ଡିଲ୍। ଆଜି ସକାଳେ ହାଇଟେକ୍ ଛକ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ବୋଲେରୋ ଧରି ପହଞ୍ଚିଥିଲେ ମଙ୍ଗଲୁ ଓ ମଦନ। ସେହି ସମୟରେ କ୍ୟୁଏଟି ଓ ମଞ୍ଚେଶ୍ବର ପୁଲିସର ମିଳିତ ଟିମ୍ ଉଭୟଙ୍କୁ ଧରିଥିଲା।