କନକ ବ୍ୟୁରୋ: କେବଳ ସହର ନୁହେଁ, ଏବେ ଗାଁ ଗାଁରେ ମିଳୁଛି ମାରାତ୍ମକ ଧଳା ଜହର ବା ବ୍ରାଉନସୁଗାର । ପରିସ୍ଥିିତି ଏମିତି ହେଲାଣି ଯେ, ପାନ ଦୋକାନ ଭଳି ପ୍ରତି ଗାଁରେ ବିକ୍ରି କରାଯାଉଛି ଏହି ବିଷ । ପ୍ରାୟତଃ ସହରରେ ମିଳୁଥିବା ଏହି ଜହର ଏବେ ଗାଁ ଗାଁରେ ମଳିଲାଣି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧୀନ ମାଳମରିଚିପୁର ଅଂଚଳରୁ ଆସିଛି ଏପରି କିଛିି ଦୃଶ୍ୟ । ଏଠାରେ ବିନା ଭୟ ଓ ସଙ୍କୋଚରେ ଅସାମାଜିକ ବ୍ୟକ୍ତିମାନେ ବ୍ରାଉନସୁଗାର ବେପାର କରୁଛନ୍ତି । ଯେଉଁମାନଙ୍କ ଟାର୍ଗେଟରେ ଅଛନ୍ତି ଯୁବଗୋଷ୍ଠୀ ।
ଥରେ ନିଶା ଖାଇବା ପରେ ଆଉ ଛାଡିବା କଷ୍ଟକର ହୋଇଯାଉଛି । ଛାଡିନପାରି ଅବାଟକୁ ଚାଲି ଯାଉଛନ୍ତି ଯୁବବର୍ଗ । ପ୍ରାୟ ବର୍ଷେ ହେବ ଅନନ୍ତପୁର ଫାଣ୍ଡି ଅଂଚଳରେ ପ୍ରଚୁର ମାତ୍ରାରେ ଧଳାଜହର ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଏନେଇ ଅବକାରୀ ବିଭାଗ ଓ ପୋଲିସକୁ ବାରମ୍ବାର ସ୍ଥାନୀୟ ଲୋକ ଜଣାଇଛନ୍ତି । ହେଲେ, ଏହି ବେପାରକୁ ରୋକିପାରି ନାହାଁନ୍ତି ପୋଲିସ ଓ ଅବକାରୀ ବିଭାଗ । ସୋମବାର କିଛି ଯୁବକ ବ୍ରାଉନସୁଗାର ଖାଇ ନିକଟସ୍ଥ ବଜାରରେ ଗଣ୍ଡଗୋଳ କରିବା ସହ ଜଣେ ବେପାରୀ ପାଖକୁ ଯାଇଥିଲେ । ଏହା ଜାଣିପାରି ସ୍ଥାନୀୟ ଅଂଚଳର ଲୋକମାନେ ସେହି ବେପାରୀକୁ ଧରିଥିଲେ । ହେଲେ ବେପାରୀ ଜଣଙ୍କ ଆକ୍ରମଣ କରିଥିଲା ।
ବେପାରୀକୁ ଲୋକମାନେ ଧରିବା ପରେ ଅବକାରୀ ବିଭାଗ ଓ ପୋଲିସକୁ ଫୋନ୍ କରିଥିଲେ ସ୍ଥାନୀୟ ଲୋକ । ହେଲେ, କେହି ନପହଁଚିବାରୁ ଫାଣ୍ଡି ଘେରାଉ କରିଥିଲେ ଗ୍ରାମବାସୀ । ଏବଂ ୭ ଦିନ ମଧ୍ୟରେ ସ୍ଥାନୀୟ ଅଂଚଳରୁ ବ୍ରାଉନସୁଗାର ବେପାର ବନ୍ଦ କରିବାକୁ ଦାବି କରିଛନ୍ତି ।ସୂଚନା ଅନୁସାରେ ବାଲେଶ୍ୱରରୁ ଜଗତସିଂହପୁର ଭାୟା ଭଦ୍ରକ – କେନ୍ଦ୍ରାପଡା-କଟକ ଦେଇ ଜଗତସିଂହପୁର ଆସୁଛି ଏହି ଧଳା ଜହର । ହେଲେ ପ୍ରଶ୍ନ ଉଠୁଛି ଏତେ ବାଟରୁ ଏହି ମାରାତ୍ମକ ବିଷ ଆସୁଥିଲେ ମଧ୍ୟ କେମିିତି ଜାଣି ପାରୁନାହାଁନ୍ତି ଅବକାରୀ ବିଭାଗ ଓ ପୋଲିସ ।