ବ୍ରାଉନସୁଗାରର ଠିକଣା ପାଲଟିଛି ଉପକୂଳ ଓଡ଼ିଶା । ବାଲେଶ୍ୱରରେ ଧଳା ଜହର ବିକ୍ରି ବେଳେ ଧରାପଡିଲେ ଦଲାଲ ।

128

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଧଳା ଜହରର କଳା କାହାଣୀ । ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି । ସେପଟେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଉଦୟପୁରରୁ ଦୁଇ ବେପାରୀଙ୍କୁ କାବୁ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖୁଣ୍ଟରେ ଦୁଇ ବେପାରୀଙ୍କୁ ବାନ୍ଧି ଦିଆଯାଇଛି । ସ୍ଥାନୀୟ ଯୁବକ ତାଙ୍କ ପକେଟ ଅଣ୍ଡାଳିବା ପରେ ପକେଟରୁ ବାହାରିଛି ବ୍ରାଉନ ସୁଗାର ପୁଡିଆ । ଆଉ ଧରାପଡିବା ପରେ ସେମାନେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ତେବେ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିବା ପରେ ପୁଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗ ଦୀଘା ଥାନା ବିଲାମୁଣ୍ଡା ଗାଁର ଦେବୁ ସିଟ, ଦିପୁ ସିଟ । ସେମାନଙ୍କ ପାଖରୁ ୧୮ଟି ବ୍ରାଉନସୁଗାର ପୁଡିଆ ଜବତ ହୋଇଛି, ଯାହାର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା । ସକାଳେ ଦୁଇ ଯୁବକ ଏକ ଟାଟା ମ୍ୟାଜିକ ଗାଡିରେ ଦୀଘାରୁ ଉଦୟପୁରଆସି ଧଳା ଜହର ବିକ୍ରି କରୁଥିଲା ବେଳେ ଲୋକଙ୍କ ହାତରେ ଧରାପଡିଥିଲେ ।

  • ପୁରୀରୁ ୩ କିଲୋ ବ୍ରାଉନସୁଗାର ଜବତ
  • ଶ୍ରୀକ୍ଷେତ୍ରରେ ଚାଲିଛି ନିଶା କାରବାର

ଅନ୍ୟପଟେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋରୁ ଅଧିକ ଓଜନର ବ୍ରାଉନ ସୁଗାର ଜବତ କରିଛି ପୁଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ । ଘଟଣାରେ ସମ୍ପୃକ୍ତ କିଙ୍ଗପିନ୍ ଲଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବାକୁ ପୁରୀ ପୁଲିସ ଯୋଜନା କରିଛି । ପୁରୀରେ ବ୍ରାଉନସୁଗାର କାରାବାରରେ ଗିରଫ ୩ ଅଭିଯୁକ୍ତଙ୍କ ଘର କଣାସ ଅଞ୍ଚଳର । ସେମାନେ ପୁରୀ ସମେତ ଖୋର୍ଦ୍ଧା, ନୟାଗଡ, କଟକ ଓ ଭୁବନେଶ୍ୱରରେ ବ୍ରାଉନସୁଗାର ବିକ୍ରି କରୁଥିଲେ ବୋଲି ପୁରୀ ପୁଲିସ କହିଛି । ଶନିବାର ବାଲେଶ୍ୱର ଭୋଗରାଇ ଓ ପୁରୀରୁ ୩ କୋଟି ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ।