କନକ ବ୍ୟୁରୋ: କୋର୍ଡ ୱାର୍ଡରେ ଚାଲିଛି ବ୍ରାଉନସୁଗାର କାରବାର । ଦିଘାରୁ ସିଧାସଳଖ ବସରେ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର । ଆଉ ଏଠାରେ ବସ ଡ୍ରାଇଭରଙ୍କୁ କୋର୍ଡ ୱାର୍ଡ କହିଲେ ମିଳୁଛି ପାର୍ସଲ । ତାହା ପୁଣି ବ୍ରାଣ୍ଡେଡ ବକ୍ସରେ । ଯେଉଁଥିରେ ରହୁଛି ଧଳା ଜହର । ସେଥିପାଇଁ ପୂର୍ବରୁ ଅନଲାଇନରେ ଟଙ୍କା କାରବାର ହେଉଛି । ହାୱାଲା ଟଙ୍କା ଭଳି କୋର୍ଡ ୱାର୍ଡରେ ରାଜଧାନୀରେ ବ୍ରାଉନସୁଗାର କାରବାର ଜୋରସୋରରେ ଚାଲିଛି । ଏଭଳି କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସୋମନାଥ ବାରିକ । ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୂର୍ବରୁ ସୋମନାଥ ତାଙ୍କ ସ୍ତ୍ରୀଙ୍କ ଜରିଆରେ ବ୍ରାଉନସୁଗାର କାରବାର ଚଳାଇଥିଲେ । ଯେଉଁଥିପାଇଁ ୨୦୨୧ରେ ତାଙ୍କ ସ୍ତ୍ରୀକୁ ଗିରଫ କରାଯାଇଥିଲା । ଆଉ ଏବେ ତାଙ୍କୁ ଗିରଫ କରିଛି ପୁଲିସ ।