ରାଜକନିକାରୁ ଆସିଲା ଲୁହଭିଜା କାହାଣୀ । ପୋଖରୀରେ ବୁଡି ଏକା ସାଙ୍ଗରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । 

159

କନକ ବ୍ୟୁରୋ : କେହି ବିଶ୍ୱାସ କରିପାରୁ ନାହାନ୍ତି, ନିଷ୍ଠୁର ସତକୁ କେହି ସ୍ୱୀକାର ବି କରୁ ନାହାନ୍ତି । ବାପା ମାଆ ତ ଦୂରର କଥା ନା ପରିବାର ନା ଗାଁଲୋକେ । କେହି ବି ଗ୍ରହଣ କରିପାରୁ ନାହାନ୍ତି ଯେ, ସେମାନଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି ଏ ନିଷ୍ପାପ ଶିଶୁ ଦୁଇଟା । ଗାଁ ଦାଣ୍ଡରେ ଗୁଲୁଗୁଲୁରୁ ହୋଇ ଧୂଳି ମାଟିରେ ଖେଳୁଥିବା ଏ କଅଁଳ କଢି ଦୁଇ ଜଣ ମାଆ କୋଳ ଖାଲି କରିଦେଇଛନ୍ତି ଆଉ ଦୁଃଖ ଦରିଆରେ ଭସେଇ ଦେଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ଭାଇ-ଭଉଣୀ ।

ଭଉଣୀକୁ ୭ ବର୍ଷ, ଭାଇକୁ ୩ ବର୍ଷ । ଜୀବନ କଣ ଜାଣିବା ଆଗରୁ ମୃତ୍ୟୁ ସେମାନଙ୍କୁ ଆପଣେଇ ନେଇଛି । ଭାଗ୍ୟର ଭୁଲ ନା ସମୟର ଖେଳ । ପୋଡା କପାଳକୁ ନିନ୍ଦି ମାଆ ମଥାପିଟି କାନ୍ଦୁଛି ତ ବାପା ରାହା ଧରି । ଆଖି ଆଗରୁ ସେମାନଙ୍କ ଭବିଷ୍ୟତ, ଘରର ଆଲୁଅ ଲିଭିଯିବା ପରେ ମାଆବାପାଙ୍କୁ ଚାରିଆଡେ ଅନ୍ଧାର ଦିଶୁଛି । ଜଣେ ନୁହେଁ ଡକାଡକି ହୋଇ ପୁଅଝିଅ ପାଣିରେ ବୁଡି ପର ପାରିକୁ ଚାଲିଯାଇଛନ୍ତି ।

କେନ୍ଦ୍ରାପଡା ରାଜକନିକା ଥାନା କାଟଣାବଣିଆ ପଞ୍ଚାୟତ ଡାହାଣୀଗିରି ଗାଁର ବିନୋଦ ବେହେରାଙ୍କ ପୁଅଝିଅ ପାୟଲ ଓ ବିଶ୍ୱଜିତ ପାଣିରେ ବୁଡି ଆଖିବୁଜିଛନ୍ତି । ଘର ପଛପଟେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଦୁହେଁ ଭାସୁଥିବା ବେଳେ ପରିବାର ଲୋକେ ସେମାନଙ୍କୁ ମେଡିକାଲ ଆଣିଥିଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ମାଆବାପାଙ୍କୁ ପର କରି ସବୁଦିନ ପାଇଁ ଶୋଇଯାଇଥିଲେ ପାୟଲ-ବିଶ୍ୱଜିତ ।

କୁନିକୁନି ପିଲାଙ୍କ ଆକସ୍ମିକ ମୃତ୍ୟୁ ପରେ ଗାଁ ସାରା ଖେଳିଯାଇଛି ଶୋକର ଛାୟା । ଭାଇ-ଭଉଣୀଙ୍କ କଥା ଯିଏ ବି ଶୁଣୁଛି ସିଏ ଭୋ ଭୋ ହୋଇ କାନ୍ଦୁଛି । ତେବେ ମୃତ୍ୟୁ ପରେ ଗାଁ ମଶାଣୀରେ ଛୋଟ ଭାଇ-ଭଉଣୀଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଶ୍ମଶାନରେ ସମାଧି ନେଇଛି କୁନି ଝିଅ ପାୟଲ ପାଦର ରୁଣୁଝୁଣୁ ଶବ୍ଦ, ପୁଅ ବିଶ୍ୱଜିତର ଧୂଳିଖେଳର ଦୁଷ୍ଟାମି ।