ପଞ୍ଚାୟତ ରାଜନୀତିରେ ରୋଚକ ଦୃଶ୍ୟ – କେଉଁଠି ଭାଇ-ଭାଇ, କେଉଁଠି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ନିବାଚନୀ ଟକ୍କର ।

ସେପଟେ ରାୟଗଡାରୁ ଆସିଲା, ୬୦ ବର୍ଷ ଧରି ସରପଞ୍ଚ ପଦ ଗୋଟିଏ ପରିବାର ହାତରେ

140

କନକ ବ୍ୟୁରୋ: ପ୍ରେମ ଓ ରାଜନୀତିରେ ସବୁ କିଛି ସମ୍ଭବ । ଏହି ଉକ୍ତିର ସତ୍ୟତା ଏବେ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି । ରାଜନୀତିର ପଶାପାଲିରେ ପରିବାର-ପରିବାର ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।  ଜିଲ୍ଲାପରିଷଦ ଆସନ ପାଇଁ ପରିବାରରେ ପ୍ରତିଦ୍ୱନ୍ଦ୍ୱିତା । ନିର୍ବାଚନ ମୈଦାନରେ ଭାଇ-ଭାଇ ମଧ୍ୟରେ ଲଢେଇ । ରାଜନୀତିର ନିଶା, ଭାଇକୁ ଭାଇ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ କରିଛି । କେନ୍ଦୁଝର ଜିଲ୍ଲା ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ ଭାଇ ସତ୍ୟ ନାଏକ ବିଜେପି ଟିକେଟରେ ଜିଲ୍ଲା ପରିଷଦ ଲଢୁଛନ୍ତି । ଜଗନ୍ନାଥ ବିଜେଡି ପାଇଁ ଭୋଟ ମାଗୁଥିବା ବେଳେ ତାଙ୍କ ବଡ ଭାଇ ବିଜେପି ଟିକଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ସେହିଭଳି ସମାନ ଘଟଣା ଦେଖିବାକୁ ମିଳିଛି ଗନ୍ଧମାର୍ଦ୍ଦନ ଖଣି ଅଞ୍ଚଳର ୨୫ନଂ ଜିଲ୍ଲା ପରିଷଦ ଜୋନରେ । ଏହି ଜୋନରେ ବିଜେଡି ପ୍ରାର୍ଥୀ ଅରୁଣ ବାରିକ ଓ ବିଜେପି ପ୍ରାର୍ଥୀ ରଞ୍ଜିତ ବାରିକ ଦୁଇ ଭାଇ । ଏହି ଦୁଇ ଭାଇଙ୍କ ଲଢେଇ ମଧ୍ୟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମିତି ସଭ୍ୟ ପାଇଁ ନାମାଙ୍କ କଲେ ସ୍ୱାମୀ-ସ୍ତ୍ରୀ 

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ମେହେନ୍ଦିନଗର ପଞ୍ଚାୟତର ଗୋଟିଏ ପଦ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବର୍ତ୍ତମାନର ସରପଞ୍ଚ ରବିନ୍ଦ୍ରନାଥ ପଣ୍ଡା ଏବଂ ତାଙ୍କର ପତ୍ନୀ ରେଣୁ ପ୍ରଭା ପଣ୍ଡା ଦୁହେଁ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ରେଣୁପ୍ରଭା ପଣ୍ଡା କହିଛନ୍ତି, ଦରକାର ହେଲେ ସ୍ୱାମୀଙ୍କ ବିରୋଧରେ ଲଢେଇ କରିବାରେ ତାଙ୍କର କିଛି ଅସୁବିଧା ନାହିଁ ।

୬୦ ବର୍ଷ ଧରି ଗୋଟିଏ ପରିବାର ହାତରେ ସରପଞ୍ଚ ପଦବୀ 

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାପଦର ପଞ୍ଚାୟତର ସରପଞ୍ଚ ପଦ ଗତ ଛଅ ଦଶନ୍ଧି ହେଲା ଗମାଙ୍ଗୋ ପରିବାର ପାଖରେ ରହି ଆସିଛି ।  ୧୯୬୧ ମସିହାରେ ଖିଲାପଦର ପଞ୍ଚାୟତ ଗଠନ ପରେ ପ୍ରଥମ ସରପଞ୍ଚ ହୋଇଥିଲେ ସ୍ୱର୍ଗତ ଲିଙ୍ଗା ଗମାଙ୍ଗ । ସେ ୩୬ ବର୍ଷ ଧରି ସରପଞ୍ଚ  ରହିଥିଲେ । ଏହାପରେ ତାଙ୍କ ପତ୍ନୀ ଓ ଏବେ ବୋହୁ ପାର୍ବତୀ ଗମାଙ୍ଗ ସରପଞ୍ଚ ରହିଛନ୍ତି । ଖାଲି ସେତିକି ନୁହେଁ ଏଥର ମଧ୍ୟ ସେ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।