ଆସୁଛି ରାକ୍ଷୀ ପୂନେଇ, ସମ୍ପର୍କର ସୂତା ବାନ୍ଧିବାକୁ ନିଖୋଜ ଭାଇ ଅପେକ୍ଷାରେ ଭଉଣୀ । ଭୋକ ଉପାସରେ ପଡି ବାଟ ଚାହିଁ ବସିଛି ପୂରା ପରିବାର…

355

କନକ ବ୍ୟୁରୋ: ଫେରୁ ନାହାନ୍ତି ସ୍ୱାମୀ, ବାଟ ଚାହିଁ ବସିଛି ସ୍ତ୍ରୀ । ସ୍ୱାମୀଙ୍କ ଫେରିବା ବାଟକୁ ଅନେଇ ଅନେଇ ଆଖି ପାଣି ଆଖିରେ ମଲାଣି । ସ୍ୱାମୀ ନିଖୋଜ ହୋଇଯାଇ ନାହାନ୍ତି ଯେ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି । ଆଉ ମନର ମଣିଷଙ୍କୁ ୪୦ ଦିନ ହେବ ନପାଇ ଆଖିରୁ ଲୁହ ଝରାଉଛନ୍ତି ନିଖୋଜ ସୁଧୀରଙ୍କ ସ୍ତ୍ରୀ ଝରଣା । ଖାଲି ସ୍ତ୍ରୀ ନୁହେଁ ରୋଜଗାରିଆ ପୁଅ ନିଖୋଜ ହେବା ପରେ ଭୋକରେ ରହିଛନ୍ତି ୯ ପ୍ରାଣୀ କୁଟୁମ୍ବ ।

ଅନୁଗୋଳ କୁକୁଡାଙ୍ଗ ପଞ୍ଚାୟତ ଘୁଞ୍ଚାପାଳ ଗାଁର ସୁଧୀର ନାୟକ ଗାଡି ଚଳାଇ ପରିବାର ପୋଷୁଥିଲେ । ହସଖୁସିରେ ସେମାନଙ୍କ ସଂସାର ଚାଲୁଥିଲା । ବାପା, ମାଆ, ଭଉଣୀ, ସ୍ତ୍ରୀ ପିଲାଛୁଆଙ୍କ ପେଟକୁ ଦାନା ଦେବାକୁ ପରିଶ୍ରମ କରୁଥିଲେ ସୁଧୀର । ହେଲେ ଗତ ୪୦ ଦିନ ହେବ ସୁଧୀର କୁଆଡେ ଯାଇଛନ୍ତି ଯେ କିଛି ଖୋଜ ଖବର ନାହିଁ । ପୋଲିସ ପାଖରେ ଅଭିଯୋଗ କରି ଥିଲେ ହେଁ କିଛି ସୁଫଳ ମିଳିନି ।

ଭେଣ୍ଡିଆ ପୁଅ କୁଆଡେ ପଳାଇଯିବା ପରେ ମାଆ ଆଖିରୁ ଶୁଖୁନି ଲୁହ । ଭୋକ ଘରକୁ ରୋଜଗାର ଆସିବା ବନ୍ଦ ହୋଇଯିବା ପରେ ଏବେ ଘରେ ଚୁଲି ବି ଜଳୁନି । କେବେ ଖାଉଛନ୍ତି ତ କେବେ ଉପାସ ରହୁଛନ୍ତି । ସମସ୍ତେ ହଡିଲା ପୁଅର ବାଟ ଚାହିଁ ରହିଛନ୍ତି ।

ସେପଟେ ଭାଇ ନିଖୋଜ ପରେ ଖୋଜି ହେଉଛି ଭଉଣୀ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ କାହା ହାତରେ ରାକ୍ଷୀ ବାନ୍ଧିବି…? ଭାଇ ତୁ ଫେରିଆ ଫେରିଆ କହି ଅଳି କରୁଛି ଗେହ୍ଲି ଭଉଣୀ? ହେଲେ ନିଖୋଜ ଭାଇ ନା ଭଉଣୀର ଡାକ ଶୁଣି ପାରୁଛି ନା ଘରକୁ ଫେରୁଛି? ବାପା କୁଆଡେ ଯାଇଛନ୍ତି, କେଉଁଠି ଅଛନ୍ତି କିଛି ଜାଣି ନାହାନ୍ତି ଏ କଅଁଳ କଢି । ନିଖୋଜର ସଜ୍ଞା ଜାଣନ୍ତିନି ନୀରିହ ଶିଶୁ । କିନ୍ତୁ କୁନି କୁନି ପିଲା ଏତିକି ଜାଣନ୍ତି ତାଙ୍କ ବାପା ତାଙ୍କ ପାଖରେ ନାହାନ୍ତି । ତେଣୁ ତ ବାପାଙ୍କୁ ଫେରି ଆସିବାକୁ ତା ଅବୁଝା ଶବ୍ଦରେ ଅଳି କରୁଛି । ତେବେ ଆପଣ ଯଦି ନିଖୋଜ ସୁଧୀର ନାୟକଙ୍କ କିଛି ଖୋଜ ଖବର ପାଆନ୍ତି ତେବେ ୮୯୮୪୭୫୭୯୩୩ରେ ଯୋଗାଯୋଗ କରନ୍ତୁ । ଆଶା କରିବା ସୁଧୀର ତାଙ୍କ ଘରକୁ ଫେରି ଆସନ୍ତୁ ଆଉ ଅସହାୟ ପରିବାରରେ ହସ ଫେରାନ୍ତୁ ।