କଟକ ଶିଖରପୁରରେ ବିଭତ୍ସ ହତ୍ୟା । ଭାଉଜକୁ ଗଳାକାଟି ହତ୍ୟା କଲ ଦିଅର । ସେପଟେ କାମାକ୍ଷାନଗରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର ।

155

କନକ ବ୍ୟୁରୋ: କଟକ ଶିଖରପୁର ଅଂଚଳରେ ବିଭତ୍ସ ହତ୍ୟାକାଣ୍ଡ । ସଂପତି ଭାଗବଂଟା ଓ ଜମି ବିବାଦକୁ ନେଇ ନିଜ ଭାଉଜର ଗଳାକାଟି ହତ୍ୟା କରିଛି ଦିଅର । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ କଟକରେ ଚାଂଚଲ୍ୟ ଖେଳାଇ ଦେଇଛି ।

  • ଜମି କଳି ନେଲା ଜୀବନ
  • ଭାଉଜର ଗଳା କାଟି ହତ୍ୟା କଲା ଦିଅର

ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଚାଉଳିଆଗଂଜ ପୁଲିସ । ସାଇନଟିଫିକ ଟିମ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦିଅରକୁ ଅଟକ ରଖି ପଚରା ଉଚରା କରୁଛି ଚାଉଳିଆଗଂଜ ପୁଲିସ । ପରିବାର ଲୋକଙ୍କ ଅନୁସାରେ ଜମି ବିବାଦକୁ ନେଇ ପୂର୍ବରୁ ଭାଉଜ, ଦିଅରଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଏହାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ଉଗ୍ର ରୂପ ନେବାରୁ ଏକ ଛୁରୀରେ ଭାଉଜଙ୍କ ଗଳାକାଟି ହତ୍ୟା କରିଛି ଦିଅର ।

ସେପଟେ ଢେଙ୍କାନାଳ କାମାକ୍ଷାନଗର ଡ଼ିମିରିଆ ଗାଁରେ ସ୍ତ୍ରୀ ଓ ଦୁଇ ଝିଅକୁ ଫାର୍ସାରେ ହାଣି ଗୁରୁତର କରିଛି ସ୍ୱାମୀ । ଡିମିରିଆ ଗାଁର ପ୍ରାଣବନ୍ଧୁ ରାଉତ କାମ ଧନ୍ଦା ନକରି ଘରେ ବସି ରହିଥିବାରୁ ଏହାର ପ୍ରତିବାଦ କରିଥିଲେ ସ୍ତ୍ରୀ । ଏଥିରେ ରାଗିଯାଇ ପ୍ରାଣବନ୍ଧୁ ଏକ ଫାର୍ସାରେ ସ୍ତ୍ରୀ ମିନାକ୍ଷୀ ରାଉତକୁ ଆକ୍ରମଣ କରିଥିଲା । ଦୁଇ ଝିଅ ମାଆଙ୍କୁ ବଂଚାଇବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ମଧ୍ୟ ଫାର୍ସା ଚୋଟ ପକାଇଥିଲା ପ୍ରାଣବନ୍ଧୁ । ଗୁରୁତର ଆହତ ଅବସ୍ଥାରେ ମାଆ ଓ ଦୁଇ ଝିଅଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ମିନାକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ପ୍ରାଣବନ୍ଧୁଙ୍କୁ ଗାଁ ଲୋକ କାବୁ କରି କାମାକ୍ଷନଗର ପୁଲିସ ଜିମାରେ ଦେଇଛନ୍ତି । ପୁଲିସ ଏବେ ପୁରା ଘଟଣାର ଛାନଭିନ୍ କରୁଛି ।