୭୫ ବର୍ଷ ପରେ ଭାଇ ଭଉଣୀଙ୍କ ପୁନର୍ମିଳନ । ଭାବବିହ୍ୱଳ ହେଲା ପରିବେଶ

123

କନକ ବ୍ୟୁରୋ: ଦେଶ ଭାଗ ଭାଗ ହୋଇଗଲା ।  ହିନ୍ଦୁ ମୁସଲିମ୍ ଭେଦଭାବ ଭିତରେ ବଳି ପଡିଗଲା ଅନେକ ପରିବାର । ଏମିତି ଏକ ପରିବାରର କାହାଣୀ ଏବେ ସାମ୍ନାକୁ ଆସିଛି । ଦୀର୍ଘ ୭୫ ବର୍ଷ ପରେ ଭାଇ ଭଉଣୀଙ୍କ ମିଳିନ  ଅତୀତର ବିଚ୍ଛେଦ ଯନ୍ତ୍ରଣାକୁ ତାଜା କରିଦେଇଛି ।

ପାକିସ୍ତାନ ସ୍ଥିତ କର୍ତ୍ତାରପୁର ସାହିବରେ ଏଭଳି ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ୭୫ ବର୍ଷ ପରେ ଜଣେ ଭାଇ ନିଜ ଭଉଣୀକୁ ଭେଟିଛନ୍ତି । ଶିଖ୍ ଭାଇ ମୁସଲିମ୍ ଭଉଣୀକୁ ଆଲିଙ୍ଗନ କରି କଇଁ କଇଁ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖି ସେଠାରେ ଥିବା ସବୁ ଲୋକଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ପରେ ସେମାନଙ୍କ କାହାଣୀ ଜଣାପଡିଲା ।

 ଏହି ପରିବାର ୧୯୪୭ ଦେଶ ବିଭାଜନ ବେଳେ ଅଲଗା ହୋଇଯାଇଥିଲେ । ପୁଅ ପଞ୍ଜାବ ଜଳନ୍ଧରରେ ନିଖୋଜ ହୋଇଯାଇଥିବାବେଳେ ପୁରା ପରିବାର ପାକିସ୍ତାନକୁ ପଳାଇଥିଲେ । ଏମିତି ପୁରା ପରିବାର ପରସ୍ପରଠାରୁ ବିଚ୍ଛେଦ ହୋଇଯାଇଥିଲେ । ପୁଅକୁ ଜଣେ ଶିଖ୍ ପରିବାର ପାଇ ରଖିଥିଲେ । ତାଙ୍କ ନାଁ ସେହି ଅନୁସାରେ ଅମରଜିତ୍ ସିଂହ ରଖିଥିଲେ ପାଳିତ ବାପା, ମା’ । ହେଲେ ୧୦ ବର୍ଷ ପରେ ପାକିସ୍ତାନର ଶ୍ରୀକର୍ତ୍ତାରପୁର ସାହିବରେ ଜନ୍ମ ନେଇଥିଲା ଝିଅ କୁଲସୁମ୍ । ହେତୁ ପାଇବା ପରେ ନିଜ ଭାଇ କଥା ଜାଣିବାକୁ ପାଇଥିଲେ କୁଲସୁମ ।

କିଛି ବର୍ଷ ପୂର୍ବରୁ କୁଲସୁମଙ୍କ ବାପାଙ୍କର ଜଣେ ବନ୍ଧୁ ସର୍ଦ୍ଦାର ଦାରା ସିଂହ ପାକିସ୍ତାନ ଆସି ତାଙ୍କ ପରିବାରକୁ ଭେଟିଥିଲେ । ଏହି ସମୟରେ ଭାରତରେ ନିଖୋଜ ହୋଇଯାଇଥିବା ତାଙ୍କ ଭାଇ ଅମରଜିତଙ୍କ ବିଷୟରେ କହିଥିଲେ ଏବଂ ଅମରଜିତଙ୍କ ପରିବାର ରହୁଥିବା ଗାଁର ଠିକଣା ଦେଇଥିଲେ । ପାକିସ୍ତାନରୁ ଭାରତ ଫେରିବା ପରେ ସର୍ଦ୍ଦାର ଅମରଜିତଙ୍କ ଘରକୁ ଯାଇ ପାକିସ୍ତାନରେ ରହୁଥିବା ତାଙ୍କ ପରିବାର ବିଷୟରେ ଜଣାଇଥିଲେ । ଏହି ସୂଚନା ମିଳିବା ପରେ ଉଭୟ ଭାଇଭଉଣୀ ସୋସିଆଲ ମିଡିଆ ସାହାଯ୍ୟରେ ଯୋଗଯୋଗ କରିଥିଲେ । ଦୁହିଁଙ୍କର ହ୍ୱାଟ୍ସଆପରେ ଯୋଗାଯୋଗ ହୋଇଥିଲା ।

 ଏହାପରେ ଭାରତ ସରକାରଙ୍କ ଅନୁମତି କ୍ରମେ ଅମରଜିତ୍ ଭଉଣୀ କୁଲସୁମଙ୍କୁ ଭେଟିବାକୁ ଅଟାରୀ ୱାଘା ବର୍ଡରରୁ ପାକିସ୍ତାନ ସ୍ଥିତ କର୍ତ୍ତାରପୁର ସାହିବରେ ପହଞ୍ଚିଥିଲେ । ସେହିପରି କୁଲସୁମ ନିଜ ପୁଅ ସହ ଭାଇକୁ ଭେଟିବାକୁ ସେହି ସ୍ଥାନକୁ ଆସିଥିଲେ । ଏଠାରେ ଭାଇ ଭଉଣୀଙ୍କ ପୁନର୍ମିଳନ ଦେଖି ଲୋକେ ହତବାକ୍ ହୋଇଯାଇଥିଲେ । ଭାଇ ଅମରଜିତକୁ ଦେଖି କୁଲସୁମ କଇଁର୍ କଇଁ ହୋଇ କାନ୍ଦିଥିଲେ ଯାହା ସେଠାରେ ଥିବା ଲୋକଙ୍କ ଚକିତ କିରିଥିଲା । ଏବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।