କନକ ବ୍ୟୁରୋ : ୨୦୧୦ ମସିହାର କଥାଟିଏ । ନେମାନି ପ୍ରଣବ ଏବଂ ତାଙ୍କ ଭଉଣୀ ସୁଚିତା ସେମାନଙ୍କ ପିତା ମୋହନଙ୍କ ସହ ଆନ୍ଧ୍ରପ୍ରଦେଶର ୟୁ କୋଥାପାଲ୍ଲି ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ଯେଉଁଠାରେ ସେ ସତ୍ତାୟା ନାମକ ଜଣେ ବାଦାମବେପାରୀଙ୍କ ପାଖରୁ ବାଦାମ କିଣିଥିଲେ । ତେବେ, ପିତା ମୋହନ, ଯେତେବେଳେ ଟଙ୍କା ଦେବାକୁ ପକେଟ ଅଣ୍ଡାଳିଥିଲେ ସେତେବେଳେ ମନିପର୍ସ ଭୁଲିଯାଇଥିବାର ଜାଣିପାରିଥିଲେ । କିନ୍ତୁ ମୋହନ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଖୁବ ଶୀଘ୍ର ବାଦାମ ଟଙ୍କା ଦେଇଦେବେ । ତେବେ ଶୀଘ୍ର ଋଣ ପରିଶୋଧ କରିବାକୁ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନଥିଲେ।
କାରଣ ସେ ଜଣେ ଏନଆରଆଇ ଥିଲେ ଏବଂ କିଛି ଦିନ ପରେ ତାଙ୍କୁ ଆମେରିକାକୁ ଫେରିଯିବାର ଥିଲା। ତେବେ ବାପାଙ୍କ ଏହି ପ୍ରତିଶ୍ରୁତିକୁ ଭୁଲିନଥିଲେ ଉଭୟ ଭାଇ-ଭଉଣୀ । ଠିକ ସେଥିପାଇଁ ପ୍ରାୟ ୧୧ ବର୍ଷ ପରେ ନେମାନି ତାଙ୍କ ଭଉଣୀ ସୁଚିତାଙ୍କ ସହ ଭାରତ ଆସି ବାଦାମ ବେପାରୀଙ୍କୁ ଖୋଜି ଋଣ ପରିଶୋଧ କରିବାକୁ ସ୍ଥିର କଲେ । ଏହା ପରେ ଉଭୟ ଭାଇ-ଭଉଣୀ ସତ୍ତାୟାଙ୍କୁ ଖୋଜିବା ପାଇଁ କାକିନାଡା ସହରର ବିଧାୟକ ଚନ୍ଦ୍ରଶେଖର ରେଡ୍ଡୀଙ୍କ ସାହାଯ୍ୟ ନେଇଥିଲେ।
ମୋହନଙ୍କ ଅନୁରୋଧ ପରେ ବିଧାୟକ ସଙ୍ଗେ ସଙ୍ଗେ ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କ ଜନ୍ମ ଗ୍ରାମ ନାଗୁଲାପାଲିର କିଛି ଲୋକ ବିଧାୟକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଗ୍ରାମବାସୀ କହିଥିଲେ ଯେ ସତ୍ତାୟା ଆଉ ଏହି ଦୁନିଆରେ ନାହାଁନ୍ତି । ଏଭଳି ପରିସ୍ଥିତିରେ ନେମାନି ଏବଂ ସୁଚିତା ସେମାନଙ୍କ ପରିବାରକୁ ୨୫,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇ ଅର୍ଥ ପ୍ରଦାନ କରିଛନ୍ତି ।