ଝାଡ଼ୁ ତିଆରି ଦେଉଛି ରୋଜଗାର: ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ମହିଳାଙ୍କ ଉଦ୍ୟମ, ଝାଡ଼ୁ ତିଆରି ଓ ବିକ୍ରି କରି ହୋଇପାରିଛନ୍ତି ଆତ୍ମନିର୍ଭର

125

କନକ ବ୍ୟୁରୋ: ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର । ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳା ମାନେ ଏକାଠି ହୋଇ ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଗାଁର ଜୟ ଶିବଶକ୍ତି ଏସଏଚଜିର ୧୦ ଜଣ ମହିଳା ଏକାଠି ହୋଇ ଏପରି ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି ।

ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହେଇପାରୁଛନ୍ତି ଆଦିବାସୀ ମହିଳା । ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳା ମାନେ ଜଙ୍ଗଲରୁ କଂଚାମାଲ ସଂଗ୍ରହ କରି ଝାଡ଼ୁ ପ୍ରସ୍ତୁତ କରୁଛନ୍ତି । ଏହାକୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଦିନକୁ ଜଣ ଜଣ ପିଛା ୫ରୁ ୬ଟି ଝାଡ଼ୁ ତିଆରି କରି ନିକଟସ୍ଥ ବଜାରରେ ବିକ୍ର କରୁଛନ୍ତି । ଗୋଟିଏ ଝାଡ଼ୁର ଦାମ ୪୦ ଟଙ୍କା ରହିଥିବା ବେଳେ ଦିନକୁ ୨୦୦ରୁ ୩୦୦ ଟଙ୍କା ରୋଜଗାର ହୋଇପାରୁଛି ।

ଜୟ ଶିବ ଶକ୍ତି ଏସ.ଏଚ.ଜିର ପ୍ରାୟ ୧୦ ଜଣ ମହିଳା ଏକତ୍ରିତ ହୋଇ ଏପରି ପ୍ରୟାସ ଆରମ୍ଭ କରିଛନ୍ତି । ଝାଡ଼ୁ ପ୍ରସ୍ତୁତ କରି ମାସକୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ରୋଜଗାର କରୁଛନ୍ତି । ଯାହା ଦ୍ୱାରା ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣ ହୋଇପାରୁଛି । ଏଥିପାଇଁ ସେମାନେ ବିଭିନ୍ନ ବ୍ୟାଙ୍କ ଏବଂ ପଂଚାୟତ ସ୍ତରରେ ସରକାରୀ ସାହାଯ୍ୟ ପାଉଛନ୍ତି ।

ମହିଳା ମାନେ ଏକାଠି ହୋଇ ଏପରି ଝାଡ଼ୁ ତିଆରି କରୁଥିବାରୁ ବେଶ ଉତ୍ସାହିତ ଅଛନ୍ତି । ତେଣୁ ତାଙ୍କ ନିର୍ମିତ ଝାଡ଼ୁ ବାହାର ଜିଲ୍ଲାରେ ବିକ୍ରି ହୋଇ ପାରିଲେ ଆହୁରି ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ଝାଡ଼ୁ ପ୍ରସ୍ତୁତ କରୁଥିବା ମହିଳା ।