ରାଜଧାନୀରେ ମିଳୁଛି ଜାଲ ମୃତ୍ୟୁ ପ୍ରମାଣପତ୍ର : ଟଙ୍କା ନେଇ ମୃତ୍ୟୁ ପ୍ରମାଣପତ୍ର ଦେଉଛନ୍ତି ଦଲାଲ

148

କନକ ବ୍ୟୁରୋ : ମୃତ୍ୟୁ ପଂଜିକରଣ ପ୍ରମାଣ ପତ୍ର ଦେବାରେ ଚାଲିଛି ଦଲାଲ ରାଜ । ଭୁବନେଶ୍ୱର ମହାନଗର ନିଗମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୃତ୍ୟୁ ପ୍ରମାଣପତ୍ର ଦେବା ନାଁରେ ଦଲାଲମାନେ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କଠାରୁ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଗତ ଗୁରୁବାରଦିନ ଦୁଇଜଣ ବ୍ୟକ୍ତି ଆଇଏଚଆରସିର ରାଜ୍ୟ ଓ ଖୋର୍ଧା ଜିଲ୍ଲା ସଭାପତି ଜଣେ ମୃତକଙ୍କ ସାର୍ଟିଫିକେଟ ଅନଲାଇନରେ ପାଇନଥିଲେ । ଏଥିପାଇଁ ସେମାନେ ୟୁନିଟ-୩ ସ୍ଥିତ ବିଏମସି ଅଫିସକୁ ଯାଇଥିଲେ । ଅଫିସ ବାହାରେ ଥିବା କିଛି ଦଲାଲ ସେମାନଙ୍କୁ ଏହି କାମ କରାଇଦେବାକୁ କହି ସୋମବାର ଆସିବାକୁ କହିଥିଲେ ।

ସୋମବାର ସେମାନେ ଅଫିସ ଯିବା ପରେ ସଂପୃକ୍ତ ଦଲାଲ ବିଏମସି ଷ୍ଟାଫ ନୁହନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହି ଦଲାଲମାନେ ଲୋକଙ୍କଠାରୁ ଟଙ୍କା ହଡପ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ସଂପୃକ୍ତ ଦଲାଲ ନିଜର ଭୁଲ ସ୍ୱୀକାର କରିଥିଲା । ପ୍ରଶ୍ନ ଉଠୁଛି, ବିଏମସି ହତା ଭିତରେ ଏଭଳି ଦଲାଲ ସକ୍ରିୟ ଥିଲେ ବି କର୍ତୃପକ୍ଷ ଏ ନେଇ କିଛି ପଦକ୍ଷେପ ନେଉନାହାନ୍ତି କିଭଳି ? ତେବେ ଟଙ୍କା ନେଇଥିବା ବ୍ୟକ୍ତି କ୍ୟାମେରା ଆଗରେ କିଛି କହିବାକୁ ରାଜି ହୋଇନାହାନ୍ତି ।