ବୁମ୍ ଦେଖାଇ ଦାଦା ବଟି ପାର୍ଟ-୨ । ସାମ୍ବାଦିକ ନାଁରେ ଦଲାଲ ମାଗୁଥିଲେ ଲକ୍ଷେ ଟଙ୍କାର ବଟି । ୬ ସାମ୍ବାଦିକ ଗିରଫ ପରେ ସାହସ ଜୁଟାଇ ପୋଲିସ ପାଖରେ ଅଭିଯୋଗ କଲେ ଘିଅ କମ୍ପାନୀ ମାଲିକ । ସିସିଟିଭି ଫୁଟେଜ ଆଧାରର ପୁଲିସର ତଦନ୍ତ

141

କନକ ବ୍ୟୁରୋ : ସାମ୍ବାଦିକର ପରିଚୟ ଦେଇ ରାଜଧାନୀରେ ଦଲାଲ ଓ ଦୁର୍ବୃତମାନେ ଲୁଟପାଟ କରୁଛନ୍ତି । ଏଭଳି ଅଭିଯୋଗରେ ଗତକାଲି ଗୋଟିଏ ୱେବ୍ ଚ୍ୟାନେଲର ୬ ସାମ୍ବାଦିକ ଗିରଫ ହୋଇ ଜେଲ ଯାଇଥିବାବେଳେ ଆଜି ସମାନ ଅଭିଯୋଗ ଆଣିଛନ୍ତି ଆଉ ଜଣେ ବ୍ୟବସାୟୀ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ଯେପର୍ଯ୍ୟନ୍ତ ପରଦା ଆଢୁଆଳରେ ସବୁ କିଛି ଚାଲିଥିଲା, କିଛି ଜଣାପଡୁନଥିଲା । କ୍ୟାମେରା, ବୁମ୍ ଓ ଗାଡ଼ି ଧରି ସାମ୍ବାଦିକର ପରିଚୟ ଦେଇ ବେଧଡକ୍ ଚାଲିଥିଲା ଦଲାଲଗିରି । ଯାହାକୁ ଟାର୍ଗେଟ୍ କରୁଥିଲେ, ତାକୁ ଲୁଟୁଥିଲେ । ହେଲେ, ୬ ଜଣ ନକଲି ସାମ୍ବାଦିକ ଗିରଫ ହେବା ପରେ ଫିଟୁଛି ଗୋଟିଏ ପରେ ଗୋଟିଏ ନକଲି ସାମ୍ବାଦିକଙ୍କ ଗୁମର ।

ତମାଣ୍ଡୋ ଅଂଚଳରେ ଥିବା ଲକ୍ଷ୍ମୀ ଫୁଡ ପ୍ରଡକ୍ଟ କାର୍ଯ୍ୟାଳୟରେ ପୁଲିସ୍ ଟିମ୍ର ତଦନ୍ତ ପଛରେ ରହିଛି, ସେମିତି ଏକ କାହାଣୀ, ଯାହା ପୂର୍ବରୁ ସାମ୍ନାକୁ ଆସିଥିଲା । କଂପାନୀର ମାଲିକ ଯତୀନ କୁମାର ସାହୁଙ୍କୁ ଧମକ ଚମକଚମକ୍ ଦେଇ ଦଲାଲ୍ମାନେ ଲୁଟି ନେଇଛନ୍ତି ୧ଲକ୍ଷ ଟଙ୍କା । ଅପମିଶ୍ରିତ ଘିଅ ବିକ୍ରି କରାଯାଉଛି ଏବଂ ଟିଭିରେ ଦେଖାଇ ଦେବୁ ବୋଲି ଧମକ ଦେଇଥିଲେ । ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରି ଟଙ୍କା ଦେଇ ଦେଇଥିଲେ ଯତିନ ସାହୁ । ଆଉ ଯେତେବେଳେ ୬ଜଣ ନକଲି ସାମ୍ବାଦିକ ଗିରଫ ହେଲେ ଯତୀନଙ୍କ ସାହସ ଆସିଲା । ଆଉ ଏନେଇ ଥାନାରେ ଅଭିଯୋଗ କରିଥିଲେ ଏହି ବ୍ୟବସାୟୀ ।