ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା

120

କନକ ବ୍ୟୁରୋ : ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଯେତେ ଯାହା କଲେ ବି ପ୍ରତି ବର୍ଷ ଧାନ ବିକ୍ରି ବେଳେ ଚାଷୀ ମୁଣ୍ରେ ବଜ୍ର ପକାଉଛି ମଣ୍ଡି ସମସ୍ୟା । ଧାନର ମାନକୁ ନେଇ ପ୍ରଶ୍ନ କରି, ମନଇଚ୍ଛା କଟନୀ ଛଟନୀ କରୁଛନ୍ତି ଅଧିକାରୀ ଓ ଦଲାଲ୍ । ସୁନ୍ଦରଗଡରେ ଗାଁ ଗାଁରେ ମଣ୍ଡି ଖୋଲିଥିବା ବେଳେ ଏମିତି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁ ଦେଖି ଚୁପ୍ ବସିଛି ପ୍ରଶାସନ ।

ଲ୍ୟାମ୍ପସକୁ ଧାନ ବିକିବାକୁ ଆସିଥିବା ବେଳେ ଚାଷୀ କେମିତି ହନ୍ତସନ୍ତ ହେଉଛି ଏ ହେଉଛି ତାହାର ଗୋଟିଏ ଉଦାହରଣ । କେତେବେଳେ ଟୋକନ୍ ତାରିଖ ଆସିନି, ତ କେତେବେଳେ କଟନୀ ଛଟନୀ ଆଳରେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲା । ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକ କିଞ୍ଜିରିକେଲା ଲ୍ୟାମ୍ପସରୁ ଆସିଛି ଏପରି ଅଭିଯୋଗ । ଚାଷୀ ଶହ ଶହ ବସ୍ତା ଧାନ କଂଟା କରି ମାପ କରିବା ବେଳେ , ସମସ୍ତଙ୍କ ଆଖିରେ ଆଂଗୁଠି ଗେଂଜି ବସ୍ତା ପିଛା ୨ କେଜିରୁ ଅଧିକ ଧାନ ଲୁଟ୍ ହେଉଥିବା ଅଭିଯୋଗ ଆସିଛି ।

କେବଳ ଅନଙ୍ଗ ଦାସ ନୁହଁନ୍ତି । ପୁରା ଜିଲ୍ଲାର ଚାଷୀ ଏବେ ଏହାର ଶିକାର ବନିଛନ୍ତି । ଆଉ କିଞ୍ଜିରିକେଲା ଲ୍ୟାମ୍ପସ କେବଳ ନୁହଁ, ଜିଲ୍ଲାର ସବୁ ଲ୍ୟାମ୍ପସରେ ଚାଲିଛି ଏମିତି ଧାନ ଲୁଟ୍ । ଭାତ ହାଣ୍ଡିରୁ ଗୋଟିଏ ଦେଖିବା ପରି ଆମେ ଆପଣଙ୍କୁ ଗୋଟିଏ ଲ୍ୟାମ୍ପସର ଧାନ ଲୁଟର ଦୃଶ୍ୟ ଦେଖାଇଲୁ । ସରକାର ସମବାୟ ସମିତି ଜରିଆରେ ଧାନ ବିକିବାକୁ ବ୍ୟବସ୍ଥା କରିଛନ୍ତି ସତ, ହେଲେ ଚାଷୀଙ୍କ କଷ୍ଟ ଦୂର ହେଉନି ।

ଚାଷୀଙ୍କ ଏପରି ସମସ୍ୟା ନେଇ ଲ୍ୟାମ୍ପସ ଏମଡିଙ୍କୁ ପ୍ରଶ୍ନ କରିଥିଲା କନକନ୍ୟୁଜ । କିନ୍ତୁ ସେ ଅଭିଯୋଗକୁ ଏଡାଇ ଯାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଲ୍ୟାମ୍ପସ କର୍ମଚାରୀ ସିଧାସଳଖ ମିଲର ହାତରେ ମଣ୍ଡି କୁ ଟେକି ଦେଇଥିବାରୁ ମିଲରଙ୍କ ମନମାନୀ ବଢି ଯାଇଥିବା ଅଭିଯୋଗ ହୋଇଛି ।