ସାବଧାନ! ଏମସରେ ମାତିଛନ୍ତି ଦଲାଲ: ଓପିଡି ଟିକେଟ ପାଇଁ ୨ରୁ ୧୦ ହଜାର ଟଙ୍କା ଦାବି କରୁଛନ୍ତି ଦଲାଲ୍

894

କନକ ବ୍ୟୁରୋ: ରୋଗୀ ବେହାଲ । ଦଲାଲ ମାଲାମାଲ । ରୋଗୀଙ୍କ ଅଭିଯୋଗ ଏମ୍ସରେ ଚାଲିଛି ଦଲାଲଗିରି । ଯାହାର ଟଙ୍କା ଅଛି ସେ ଟିକେଟ୍ ପାଇବ । ଆଉ ଯାହା ପାଇଁ ହସ୍ପିଟାଲ, ସିଏ ହଇରାଣ ହେବ । ଏକଥା ସେତେବେଳେ ପଦାକୁ ଆସିଛି, ଯେତେବେଳେ ଏମ୍ସରୁ ଦଲାଲଙ୍କୁ ଗିରଫ କରିଛି ଖଣ୍ଡିଗିରି ପୋଲିସ ।

ଉଚ୍ଚକୋଟିର ଚିକିତ୍ସା ପାଇବା ଆଶାରେ ଦୂରଦୂରାନ୍ତରୁ ଭୁବନେଶ୍ୱରର ଏମ୍ସକୁ ଆସିଥାନ୍ତି ରୋଗୀ । ଟିକେଟ୍ ପାଇଁ ରାତିଦିନ ଧାଡ଼ିରେ ଛିଡ଼ା ହେବାକୁ ପଡ଼େ । ନହେଲେ ଦଲାଲଙ୍କୁ ହାତବାରିସୀ କରିବାକୁ ପଡ଼େ । ଆଉ ପୂର୍ବରୁ ଟିକେଟ୍ କିଣି ଗରିବଙ୍କୁ ଲୁଟିବାକୁ ଛକି ବସିଥିବା ଏହି ଦଲାଲମାନେ ଟିକେଟ୍ ଦେବାକୁ ରାଜି ହୁଅନ୍ତି ସତ, କିନ୍ତୁ ତା’ ବଦଳରେ ମାଗନ୍ତି ୨ରୁ ୧୦ହଜାର ଟଙ୍କା । ଆଉ ଗୁରୁବାର ସମାନ ଷ୍ଟାଇଲରେ ପଶ୍ଚିମବଙ୍ଗରୁ ଆସୁଥିବା ରୋଗୀଙ୍କ ପାଇଁ ଟିକେଟ୍ ପାଇଁ ୫ହଜାର ଟଙ୍କା ମାଗୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରଛି ଖଣ୍ଡଗିରି ପୋଲିସ । ଅଭିଯୁକ୍ତ ଦ୍ୱୟ ହେଲେ ଅମିତ ପ୍ରତିହାର ଓ ତପନ ଭଟ୍ଟ । ସେମାନଙ୍କ ଘର ପଶ୍ଚିମ ମେଦିନାପୁର । ହସ୍ପିଟାଲ ପାଖରେ ଥିବା ଲଜ୍ ଭଡ଼ା ନେଇ ସେମାନେ ବର୍ଷେ ହେଲା ରହୁଥିଲେ । ହସ୍ପିଟାଲ ସିକ୍ୟୁରିଟି ଇନଚାର୍ଜଙ୍କ ଅଭିଯୋଗ ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ହସ୍ପିଟାଲରେ ସାଦା ପୋଷାକରେ ମୁତୟନ ରହୁଛନ୍ତ ବଛାବଛା ଅଫିସର । ଗତବର୍ଷ ନଭେମ୍ବର ୪ ତାରିଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆଇସିୟୁ ଉପଲବ୍ଧ କରାଇଦେବାକୁ କହି ୫୦ହଜାର ଟଙ୍କା ମାଗୁଥିବା ବେଳେ ମାଡ଼ି ବସିଥିଲା ଖଣ୍ଡଗିରି ପୋଲିସ । ରୋଗୀଙ୍କ ତଣ୍ଟି ଚିପି ମାଲାମାଲ ହେଉଥିବା ୧୩ ଜଣଙ୍କୁ ବାନ୍ଧିଥିଲା ପୋଲିସ । ସେପଟେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ହସ୍ପିଟାଲ ମଧ୍ୟ ଗଠନ କରିଥିଲା ସ୍ପେଶାଲ ଟିମ୍ । କିନ୍ତୁ ବାରମ୍ବାର ଲୋକଙ୍କ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ ।

ଅନ୍ୟପଟେ ଯଦି କୌଣସି ଲୋକ ସ୍ୱାସ୍ଥ୍ୟ ସେବା ପାଇବା ବେଳେ ଦଲାଲଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ତୁରନ୍ତ ଟୋଲଫ୍ରି ନମ୍ବର ୭୦୭୭୭୯୮୧୧୧, ୭୦୭୭୭୯୮୧୧୨ରେ ଯୋଗାଯୋଗ କରିବାକୁ ସୂଚନା ଦେଇଛି କମିଶନରେଟ୍ ପୋଲିସ ।