କନକ ବ୍ୟୁରୋ: ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ମହାଘୋଟାଲା ଅଭିଯୋଗ । ଛତିଶଗଡ ବେସରକାରୀ ଡାକ୍ତରଖାନା ରୋଗୀମାନଙ୍କୁ ସଂଗ୍ରହ କରି କମ୍ ଚିକିତ୍ସାରେ ଅଧିକ ଟଙ୍କା କାର୍ଡରୁ କାଟୁଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ ।

Advertisment
  • ବିଏସକେୱାଇରେ ବଡ଼ ଘୋଟାଲା!
  • ରୋଗୀଙ୍କୁ ହଇରାଣ କରୁଛନ୍ତି ଦଲାଲ
  • ଫାଇଦା ପାଇଁ ରୋଗୀଙ୍କୁ ଘରୁ ନେଉଛନ୍ତି ଡାକ୍ତରଖାନା!

ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡର ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର । ପଡୋଶୀ ଛତିଶଗଡର ବହୁ ଡାକ୍ତରଖାନ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ଆଉ ଏହାର ଫାଇଦା ଉଠାଇ କିଛି ଦଲାଲ ରୋଗୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ବି.ଏସ୍.କେ,ୱାଇ୍ କାର୍ଡରୁ ଟଙ୍କା ନେବା ପାଇଁ ରୋଗୀଙ୍କୁ ଘରୁ ନେଇ ୭ ଦିନ ଯାଏଁ ଡାକ୍ତରଖାନାରେ ରଖୁଛନ୍ତି । ସାଧାରଣ ସାଲାଇନ ଓ କିଛି ଔଷଧ ଦେଇ କାର୍ଡରୁ ୬୦ ହଜାରରୁ ଅଧିକ ଟଙ୍କା ଉଠାଇ ବିଲ୍ ନଦେଇ ଘରକୁ ପଠାଇ ଦେଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ।

ବଲାଙ୍ଗୀର ପାଟଣାଗଡ ଉପଖଣ୍ଡର ଦଳଦଳି ଗାଁର ୯ ଜଣ ରୋଗୀ, ଜଣେ ମହିଳାଙ୍କ ସହ ରାୟପୁରର ଘରୋଇ ଡାକ୍ତରଖାନାକୁ ଯାଇଥିଲେ । ବିଶେଷ କିଛି ରୋଗର ଲକ୍ଷଣ ନଥିବା ବେଳେ ସେମାନଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ୬୦ ହଜାର ଟଙ୍କା କଟିବା ନେଇ ମୋବାଇଲକୁ ମେସେଜ୍ ଆସିଥିଲା । ଏହାକୁ ଦେଖି ଉତ୍ୟକ୍ତ ଲୋକ ଡାକ୍ତରଖାନାର ଆମ୍ବୁଲାନ୍ସକୁ ଅଟକ ରଖିଥିଲେ । ପୁଲିସ ପଂହିଚି ଲୋକଙ୍କୁ ବୁଝାସୁଝା କରିଛି । ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ପୁଲିସ କହୁଥିବା ବେଳେ ନିରିହ ଲୋକମାନେ ଡରି ଯାଉଛନ୍ତି । ସେପଟେ ଏ ସଂପର୍କରେ କୌଣସି ଅଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁନଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଏହି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।