ମକା ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ! ଚାଷୀଙ୍କୁ ମଣ୍ଡିରୁ ମିଳୁନି ଉଚିତ୍ ଦାମ, ଅଭାବୀ ବିକ୍ରିର ଫାଇଦା ନେଉଛି ଦଲାଲ । ପଡୋଶୀ ରାଜ୍ୟକୁ ଚାଲାଣ କରି ହେଉଛି ମାଲାମାଲ ।

222

କନକ ବ୍ୟୁରୋ: ନବରଙ୍ଗପୁରରେ ମକାର ଅଭାବୀ ବିକ୍ରି । ଆଉ ଏହା ଭିତରେ ମଉଳି ଯାଉଛି ଚାଷୀର ସ୍ୱପ୍ନ । ମାଲାମାଲ ହେଉଛନ୍ତି ଦଲାଲ । ସବୁ ବ୍ୟବସ୍ଥା ଥିଲେ ମଧ୍ୟ ଫାଇଦା ଚାଷୀକୁ ମିଳୁନି । ଓଲଟି ସର୍ବହରା ହେଉଛନ୍ତି ମକା ଚାଷୀ । ତେବେ ଏସବୁ ଭିତରେ ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଁଚିଥିଲା କନକ ନ୍ୟୁଜ୍ ।

ଏସିଆ ମହାଦେଶର ସବୁ ଠାରୁ ବଡ ମକା ବଜାର ହେଉଛି ଓଡିଶାର ନବରଙ୍ଗପୁର ଜିଲ୍ଲା । କହିବାକୁ ଗଲେ ଏହି ମକା ଚାଷ ହେଉଛି ଲୋକଙ୍କ ଆୟର ମୁଖ୍ୟ ସ୍ରୋତ । ହେଲେ ସରକାରଙ୍କ ମଣ୍ଡିରେ ମକା ଦର ଅହେତୁକ ମାତ୍ରାରେ କମ୍ ରହୁଛି । ସରକାର ଚାଷୀଙ୍କ ଠାରୁ ଆରଏମସି ଓ ସରକାରୀ ଟ୍ରେଡର୍ସ ଜରିଆରେ ମକା ବିକିବାକୁ ମଣ୍ଡିର ବ୍ୟବସ୍ଥା କରିଛନ୍ତି । ତେଣୁ ମଣ୍ଡିରେ ସରକାରୀ ଦର ରହିଛି ୧୭୬୦ ଟଙ୍କା । ଦଲାଲ ଏହାକୁ ୧୮୦୦ ଟଙ୍କାରେ କିଣି ରାଜ୍ୟ ବାହାରେ ୧୯୦୦ ଓ ୨୦୦୦ ଟଙ୍କାରେ ବିକି ପକେଟ୍ ଗରମ କରୁଛନ୍ତି ।

ମକା ଅମଳ ସମୟ ଆସିଲେ ନବରଙ୍ଗପୁରରେ ଏହି ପରି ଟ୍ରକ ଟ୍ରକ ମକା ଚାଲାଣ ହୁଏ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡକୁ । ସେଠାରେ ଏହାର ଭଲ ବଜାର ରହିଛି । ବହୁରାଷ୍ଟ୍ରୀୟ କମ୍ପାନୀ ନବରଙ୍ଗପୁରରେ କମ୍ପାନୀ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ଏହା ସମ୍ଭବ ହୋଇନି । ଫଳରେ ରାଜ୍ୟ ବାହାରକୁ ଚାଲାଣ ହୋଇଯାଉଛି ଓଡିଶା ମକା ।